ଆଜି ଭାରତ-ପାକିସ୍ତାନ ବ୍ୟାଟଲ୍‌

0 66

ନୂଆଦିଲ୍ଲୀ, ୨୭ା୮: ଏସିଆ କପ୍‌ର ଦ୍ୱିତୀୟ ଦିନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଏହି ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ
ଖେଳାଯିବ । ଏହି ପଡିଆରେ ଗତବର୍ଷ ଟି-୨୦ ବିଶ୍ୱ କପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା । ଉକ୍ତ ମ୍ୟାଚରେ ପାକିସ୍ତାନ ଭାରତକୁ ଶୋଚନୀୟ ଭାବେ ୧୦ ୱିକେଟରେ ହରାଇଥିଲା । ପାକିସ୍ତାନ ପ୍ରଥମଥର କୌଣସି ବିଶ୍ୱ କପ୍‌ରେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା । ଏବେ ରୋହିତ ଶର୍ମାଙ୍କ ନଜର ମ୍ୟାଚ୍ ଜିତି ପ୍ରତିଶୋଧ ନେବା ଉପରେ ରହିଛି । ଏହି ମୁକାବିଲା ପୂର୍ବରୁ ଦୁଇ ଦଳର ଚୂଡାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଜାରି ରହିଛି । ଭାରତୀୟ ଦଳ ଉପରେ ନଜର ପକାଇଲେ ଆଠ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ଲାଗୁଛି । ଅଧିନାୟକ ରୋହିତ ଶର୍ମା, ଉପ ଅଧିନାୟକ କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ୱର କୁମାରଙ୍କ ଖେଳିବା ନିଶ୍ଚିତ । ୱିକେଟ୍ କିପରରେ ରୋହିତ ଶର୍ମା ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡିବ । ତେବେ ପନ୍ତଙ୍କ ପଲ୍ଲା ଭାରି ଥିବା ପରି ଲାଗୁଛି । କାର୍ତ୍ତିକ ଜଣେ ବ୍ୟାଟସ୍‌ମ୍ୟାନ୍‌ ହିସାବରେ ଖେଳି ପାରନ୍ତି । ଏମିତି ହେଲେ ଦୀପକ ହୁଡ୍ଡାଙ୍କୁ ବାହାରେ ବସିବାକୁ ପଡିପାରେ । ହୁଡ୍ଡାଙ୍କ ନିକଟ ପ୍ରଦର୍ଶନ ଦମ୍‌ଦାର ରହିଛି । ସେ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛନ୍ତି । ସେ ଏ ପର୍ଯ୍ୟନ୍ତ ଯେତୋଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ସବୁଥିରେ ଭାରତ ବିଜୟୀ ହୋଇଛି । ହୁଡ୍ଡା ଏବଂ କାର୍ତ୍ତିକଙ୍କୁ ରବି ଚନ୍ଦ୍ରନ ଅଶ୍ୱିନ୍‌ଙ୍କଠୁ ବି ଟକ୍କର ମିଳିବ । ଯଦି ରୋହିତ ଶର୍ମା ଅତିରିକ୍ତ ବୋଲରଙ୍କ ସହିତ ଓହ୍ଲାନ୍ତି ତେବେ ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ । ବୋଲିଂରେ ଭୁବନେଶ୍ୱର କୁମାରଙ୍କ ସହିତ ରହିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ମାତ୍ର ଦଳ ଆଉ ଜଣେ ବିଶେଷଜ୍ଞ ଦ୍ରୁତ ବୋଲର ରଖିବାକୁ ଚାହିଁବ । ଏମିତିରେ ଅର୍ଶଦୀପ ସିଂହ ଏବଂ ଅଭେଶ ଖାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ଅର୍ଶଦୀପ ଭାରତୀୟ ଦଳରେ ସାମିଲ୍‌ ଏକ ମାତ୍ର ବାମହାତୀ ବୋଲର । ସେ ଡେଥ୍ ଓଭରରେ ଶାଣିତ ବୋଲିଂ କରିଥାନ୍ତି । ଅଭେଶଙ୍କ ତୂଳନାରେ ତାଙ୍କର ପଲ୍ଲା ଭାରି ରହିଛି । ପାକିସ୍ତାନ ଉପରେ ନଜର ପକାଇଲେ ଦଳର ମୁଖ୍ୟ ସମସ୍ୟା ହେଉଛି ଦ୍ରୁତ ବୋଲିଂ । ଶାହିନ ଶାହ ଆଫ୍ରିଦିଙ୍କ ପରେ ମହମ୍ମଦ ହସନେନ ଦଳରୁ ବାଦ୍ ପଡି ସାରିଛନ୍ତି । ତାଙ୍କ ସ୍ଥାନରେ ହସନ ଅଲ୍ଲୀଙ୍କୁ ଦଳରେ ସାମିଲ୍‌ କରାଯାଇଛି । ହେଲେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବା ମୁସ୍କିଲ । ଏମିତିରେ ପାକିସ୍ତାନର ହାରିସ ରଉଫ ଏବଂ ନସୀମ ଶାହଙ୍କ ସହିତ ଶାହନୱାଜ ଦହାନୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ ।

Leave A Reply

Your email address will not be published.