ପ୍ରତିଦିନ ପ୍ରାଣ ହରାଉଛନ୍ତି ଜଣେ କିମ୍ବା ଦୁଇ ଜଣ ରାଜ୍ୟରେ ୪୬ ଜୀବନ ନେଲାଣି ୪ର୍ଥ ଲହର

0 63

ଭୁବନେଶ୍ୱର, ୨୯ା୮(ଡିକେ ନ୍ୟୁଜ): ରାଜ୍ୟରେ କୋଭିଡ୍ ସଂକ୍ରମଣ ଦୁର୍ବଳ ଅବସ୍ଥାରେ ରହିଛି । ଦୈନିକ ସଂକ୍ରମଣ ୫%ରୁ ହ୍ରାସ ପାଇ ୧%ରୁ ସାମାନ୍ୟ ଅଧିକ ରହିଛି । କିନ୍ତୁ କୋଭିଡ୍ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ । ବେଶ୍ କିଛି ଦିନର ବ୍ୟବଧାନ ପରେ ଜୁଲାଇ ମାସରୁ କୋଭିଡ୍ ମୃତ୍ୟୁ ଆରମ୍ଭ ହୋଇଥିଲା । ୪ର୍ଥ ଲହରରେ ୪୬ ଜଣଙ୍କ ଜୀବନ ନେଲାଣି କରୋନା । ପ୍ରତିଦିନ ଜଣେ ଦୁଇ ଜଣ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଚଳିତ ବର୍ଷ ଜାନୁଆରୀ ୩ ତାରିଖ ସୁଦ୍ଧା ରାଜ୍ୟରେ ୮୪୬୩ କୋଭିଡ୍‌ ମୃତ୍ୟୁ ହୋଇଥିଲା । ଗତକାଲି ସକାଳ ସୁଦ୍ଧା ରାଜ୍ୟରେ ୯୧୭୨ ଜଣ ପ୍ରାଣ ହରାଇଛନ୍ତି । ୪ର୍ଥ ଲହର ଆରମ୍ଭ ହେବା ପରେ କୋଭିଡ୍ ମୃତ୍ୟୁ ହୋଇନଥିଲା । ତେବେ ଜୁଲାଇ ୧୨ ତାରିଖରେ ପ୍ରଥମ କୋଭିଡ୍ ମୃତ୍ୟୁ ହୋଇଥିଲା । ଏହାପରେ ଦିନେ ଦୁଇ ଦିନ ବ୍ୟବଧାନରେ କ୍ରମାଗତ ଭାବେ କୋଭିଡ୍ ମୃତ୍ୟୁ ହୋଇ ୪୬ ଜଣଙ୍କ ପ୍ରାଣ ନେଲାଣି କରୋନା । ସାଧାରଣତଃ ବୟସ୍କ ଏବଂ ବହୁବିଧ ରୋଗରେ ପୀଡିତ ରୋଗୀ କରୋନାରେ ପ୍ରାଣ ହରାଇଥାନ୍ତି । ହେଲେ ୪ର୍ଥ ଲହରରେ କମ୍ ବୟସ୍କ ଏବଂ ସାଧାରଣ ରୋଗରେ ପୀଡିତ ସଂକ୍ରମିତ ମଧ୍ୟ ପ୍ରାଣ ହରାଉଥିବା ଦେଖାଯାଇଛି । ସୁନ୍ଦରଗଡ଼, କଳାହାଣ୍ଡି, ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲାରେ କୋଭିଡ୍ ମୃତ୍ୟୁ ଅଧିକ ରହୁଥିବା ଦେଖାଯାଇଛି । ଗତ ୨୩ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ଜଣେ ୨୧ ବର୍ଷିୟା କୋଭିଡ୍ ଆକ୍ରାନ୍ତ ଯୁବତୀ ପ୍ରାଣ ହରାଇଥିଲେ । ତାଙ୍କର କୌଣସି ରୋଗ ନଥିଲା । ସେହିପରି ୧୪ ତାରିଖରେ ରାୟଗଡ଼ା ଜିଲ୍ଲାରେ ଜଣେ ୨୪ ବର୍ଷୀୟା ମହିଳା ପ୍ରାଣ ହରାଇଥିଲେ । ତେବେ ଅଧିକାଂଶ ମୃତକଙ୍କ ବୟସ ୬୦ ବର୍ଷରୁ ୮୦ ବର୍ଷ ମଧ୍ୟରେ ସୀମିତ ରହୁଛି । ଆଇଏଲ୍‌ଏସ୍‌ର ଜଣେ ବୈଜ୍ଞାନିକ କହିଛନ୍ତି, ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା କୋଭିଡ୍ ଭୂତାଣୁର ବିପଦ ଟଳି ନାହିଁ । ସକ୍ରିୟ ରହିଥିବା ମ୍ୟୁଟେସନ୍‌ ହେତୁ ଲୋକଙ୍କ ପ୍ରାଣ ଯାଉଛି । ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କର ଅନ୍ୟ କୌଣସି ଗୁରୁତର ରୋଗ ରହିଛି ତା ହେଲେ ସେ କୋଭିଡ୍ ଭୂତାଣୁର ପ୍ରତିରୋଧ କରିପାରୁ ନାହାନ୍ତି । ସେଥିପାଇଁ ସେମାନଙ୍କ ଜୀବନ ରକ୍ଷା ସମ୍ଭବ ହେଉ ନାହିଁ । ଡାକ୍ତର ହରିଶ ଚୌଧୁରୀ କହିଛନ୍ତି, କୋଭିଡ୍ ଟିକା ଲୋକଙ୍କୁ ସୁରକ୍ଷା ଦେଉଛି । ଏବେ ରାଜ୍ୟରେ ଟିକାକରଣ ସନ୍ତୋଷଜନକ ରହିଥିବା ସତ୍ତ୍ୱେ ପ୍ରାଣ ହାନୀ ଘଟିବା ଚିନ୍ତାର କାରଣ । ଯେଉଁମାନେ କୋଭିଡରେ ପ୍ରାଣ ହରାଉଛନ୍ତି ସେମାନେ ଟିକା ନେଇଛନ୍ତି କି ନାହିଁ ତାହା ତର୍ଜମା କରିବା ଆବଶ୍ୟକ । କୋଭିଡ୍ ଭୂତାଣୁ ଆମ ଭିତରେ ସକ୍ରିୟ ରହିଛି ଆଉ ଆଗକୁ ମଧ୍ୟ ରହିବ । ତେଣୁ କୋଭିଡ୍ ନିୟମ ପାଳନ କରିବା ହିଁ ଯଥାର୍ଥ ବୋଲି ଡା ଚୌଧୁରୀ କହିଛନ୍ତି ।

Leave A Reply

Your email address will not be published.