ଦୀପାବଳୀରୁ ଜିଓ ୫ଜି ସେବା

0 64

ନୂଆଦିଲ୍ଲୀ,୨୯ା୮: ୫ଜି ଇଣ୍ଟରନେଟ୍‌କୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳୀଠାରୁ ଦେଶରେ ଜିଓ ୫ଜି ସେବା ଆରମ୍ଭ ହେବ । ପ୍ରାରମ୍ଭରେ କମ୍ପାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନଇରେ ଜିଓ ୫ଜି ସେବା ଆରମ୍ଭ କରିବ । ଡିସେମ୍ବର ୨୦୨୩ସୁଦ୍ଧା ସାରା ଦେଶରେ ଜିଓ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା କହିଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ । ଅନ୍ୟ ଅପରେଟର୍ସମାନେ ନନ୍‌-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବା ବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବାକୁ ଯାଉଛି । ଏହି ଇଭେଣ୍ଟରେ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ ଭୋଡାଫୋନ ଆଇଡିଆ ଓ ଅଦାନି ଗ୍ରୁପ ମଧ୍ୟ ଅଂଶଗ୍ରହଣ କରିଥିଲା ।

Leave A Reply

Your email address will not be published.