ଭାରତ ନଜରରୁ ବର୍ତ୍ତିବା ପାଇଁ ପ୍ରୟାସ: ବିକଳ୍ପ ପଥ ସନ୍ଧାନ କରୁଛି ଚୀନ୍ ଜାହାଜ

0 66

ନୂଆଦିଲ୍ଲୀ, ୩୧ ।୮: ତାଇୱାନ ପ୍ରସଙ୍ଗରେ ଆମେରିକା ସହ ଉତ୍ତେଜନା ବଢ଼ିବା ପରେ ଚୀନ ଏହାର ଯୁଦ୍ଧ ଜାହାଜ “ୟୁଆନ ୱାଙ୍ଗ ୫\’କୁ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରକୁ ପଠାଇଥିଲା । ଭାରତ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା । ଫଳରେ ଜାହାଜଟି ହମ୍ବନତୋଟା ବନ୍ଦରକୁ ଆସି ନପାରି କିଛିଦିନ ପାଇଁ ଦକ୍ଷିଣ ଚୀନ ସାଗରରେ ଅଟକି ରହିଥିଲା । ପରେ ଶ୍ରୀଲଙ୍କା ସରକାର ଏହାକୁ ଅନୁମତି ଦେବାପରେ ଜାହାଜଟି ହମ୍ବନତୋଟା ବନ୍ଦରରେ ଲାଗିଥିଲା । ତେବେ ଜାହାଜଟି ଏବେ ଭାରତ ମହାସାଗରରେ ଶ୍ରୀଲଙ୍କାର ଦକ୍ଷିଣରେ ୨୦୦୦ କିମି ଦୂରରେ ଯାତ୍ରା କରୁଛି । ଜାହାଜଟି ଚୀନର ସାଂଘାଇ ବନ୍ଦରକୁ ଯାତ୍ରା କରିବ । କିନ୍ତୁ ସେଠାକୁ ଯିବା ଏହି ଜାହାଜଟି ପାରମ୍ପରିକ ମଲାକା, ସୁନ୍ଦା ଏବଂ ଲମବୋକ୍ ପ୍ରଣାଳୀ ପରିବର୍ତ୍ତେ ବିକଳ୍ପ ପଥ ସନ୍ଧାନ କରୁଛି । ସୂଚନା ଅନୁଯାୟୀ ୧୧୦୦୦ ଟନ୍‌ ବିଶିଷ୍ଟ ଏହି ଜାହାଜ ଭାରତ ମହାସଗାରର ଗଭୀର ଜଳରାଶିରେ ଯାତ୍ରା କରୁଛି । କେଉଁଠି ସମୁଦ୍ରର ଗଭୀରତା କେତେ ରହିଛି ତାହାର ଅନୁଧ୍ୟାନ କରୁଛି । କେବଳ ଜାହାଜ ନୁହେଁ ଆବଶ୍ୟକ ପଡ଼ିଲେ ବୁଡ଼ାଜାହାଜ ଆସିପାରିବ କି ନାହିଁ ତାହାର ମଧ୍ୟ ଅନୁଧ୍ୟାନ କରୁଛି । ସଂପ୍ରତି ଇଷ୍ଟ ତିମୋର ଏବଂ ଅଷ୍ଟ୍ରେଲିଆର ଉତ୍ତରରେ ଓମ୍ବାଇୱେଟାର ପ୍ରଣାଳୀ ଦେଇ ଜାହାଜଟି ସାଂଘାଇ ବନ୍ଦରକୁ ଯିବାନେଇ ଅନୁମାନ କରାଯାଉଛି । ମଲାକା, ସୁନ୍ଦା ଏବଂ ଲମବୋକ ପ୍ରଣାଳୀ ଆଣ୍ଡମାନ ଓ ନିକୋବର ଦୀପର ନିକଟତର । ତେଣୁ ଭାରତର ନୌସେନା ଏହି ପଥ ଉପରେ ଏହାର ଜାହାଜ ଏବଂ ମାନବବିହୀନ ଯାନ ଜରିଆରେ ନଜର ରଖୁଛି । ତେଣୁ ଦକ୍ଷିଣ ଆଫ୍ରିକାକୁ ଏକ ନୂଆ ପଥର ସନ୍ଧାନ କରୁଛି ଚୀନର ୟୁଆନ ୱାଙ୍ଗ ୫ ଜାହାଜ । ନୂଆ ପଥ ପାଇଗଲେ
ଭାରତୀୟ ନୌସେନା ନଜରକୁ ଚୀନର ଜାହାଜ ଆସିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ପୂର୍ବ ଆଫ୍ରିକାକୁ ଚୀନ ଜଳଭାଗରେ ନୂଆ ପଥ ପାଇଗଲେ ତାହା ପାଇଁ ସୁବିଧା ହେବ । କାରଣ ବେଲ୍ଟ ରୋଡ୍ ଇନିସିଏଟିଭ (ବିଆରଆଇ) ଯୋଜନାରେ ଏହି ଅଞ୍ଚଳରେ ଚୀନ ବିପୁଳ ନିବେଶ କରିଛି । ଡିବୁଟିକୁ ଏକ କେନ୍ଦ୍ରରେ ପରିଣତ କରିଛି ।

Leave A Reply

Your email address will not be published.