ସହାୟିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ବିଜେପି ନେତ୍ରୀ ଗିରଫ

0 68

ରାଞ୍ଚି, ୩୧ ।୮: ନିଜ ଘରେ ରଖିଥିବା ଜଣେ ଆଦିବାସୀ ଗୃହ ସହାୟିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିଜେପି ନେତ୍ରୀ ସୀମା ପାତ୍ର ଗିରଫ ହୋଇଛନ୍ତି । ପୂର୍ବତନ ଆଇଏଏସ୍ ଅଫିସରଙ୍କ ପତ୍ନୀ ସୀମାଙ୍କୁ ବୁଧବାର ଭୋରୁ ରାଞ୍ଚି ପୁଲିସ୍ ଗିରଫ କରିଛି । ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୀମାଙ୍କୁ କୋର୍ଟ ପରୱାର୍ଡ କରାଯାଇ ପରେ ଜେଲ୍ ପଠାଯିବ । ପୁଲିସ୍‌ ହାତରେ ଧରାପଡ଼ିବା ଭୟରେ ସୀମା ନିଜ ବାସଭବନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ବେଳେ ପୋଲିସ୍‌ ସର୍ଚ୍ଚ ଅପରେସନ କରି ତାଙ୍କୁ ଧରିବାରେ ସମର୍ଥ ହୋଇଛି । ସୀମାଙ୍କ ଗୃହ ସହାୟିକାଙ୍କ ନାଁ ସୁନିତା । ତାଙ୍କ ଗୃହ ସହାୟିକା ସୀମା ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ କରି ପୋଲିସରେ ଅଭିଯୋଗ କରିବା ପରେ ଝାଡଖଣ୍ଡ ବିଜେପି ମୁଖ୍ୟ ଦୀପକ ପ୍ରକାଶ ସୀମା ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଭାଇରାଲ ଭିଡିଓରେ ପୀଡିତା ମହିଳା ସୁନୀତାଙ୍କୁ ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଅନେକ ଦାନ୍ତ ଭାଙ୍ଗିଯାଇଥିବା ସହ ସେ ବସିବାକୁ ମଧ୍ୟ ଅସମର୍ଥ ଥିବା ଦେଖାଯାଇଥିଲା । ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ସୂଚିତ କରୁଛି ଯେ ତାଙ୍କୁ ବାରମ୍ବାର ମାଡ଼ ମରାଯାଉଥିଲା । ଭିଡିଓ ଭାଇରାଲ୍ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ବିଜେପି ମହିଳା ନେତ୍ରୀଙ୍କୁ ଦଳରୁ ବହିସ୍କାର କରାଯାଇଥିଲା । ସୁନୀତା ଅଭିଯୋଗ ଆଣିଥିଲେ ଯେ ୧୦ବର୍ଷ ହେଲାଣି ସେ ସୀମାଙ୍କ ଘରେ କାମ କରିଆସୁଛନ୍ତି । ଗତ ୬ବର୍ଷ ମଧ୍ୟରେ ସୀମା ପାତ୍ର ତାଙ୍କୁ ଅନେକ ଥର ମାଡ଼ ମାରିଛନ୍ତି । ତାଙ୍କୁ ଗରମ ତାୱା ଓ ବାଡ଼ିରେ ମାଡ଼ ମରାଯାଇଥିଲା । ଏହି ସମୟରେ ତାଙ୍କର ଦାନ୍ତ
ଭାଙ୍ଗିଯାଇଥିଲା । ତାଙ୍କୁ ଚଟାଣରୁ ପରିସ୍ରା ଚାଟିବାକୁ ମଧ୍ୟ ବାଧ୍ୟ କରାଯାଉଥିଲା ।

Leave A Reply

Your email address will not be published.