୪୧ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଚାଷୀ ଆମର ଗର୍ବ ଓ ଗୌରବ

0 50

ଭୁବନେଶ୍ୱର, ୧ା୯(ଡିକେ ନ୍ୟୁଜ): ନୂଆଁଖାଇରେ ଚାଷୀଙ୍କୁ ମିଳିଛି କାଳିଆ ସହାୟତା । ରାଜ୍ୟବାସୀଙ୍କୁ ଜୟ ଜଗନ୍ନାଥ ଓ ଜୟ ମା\’ ସମଲେଶ୍ୱରୀ କହି ନୂଆଁଖାଇ ଜୁହାର ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଁଖାଇ ମାଟି ମା’ର ପର୍ବ । ଆମର ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା\’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି ବୋଲି କାଳିଆ ସହାୟତା ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । ଆଜି ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର ସହାୟତା ଦିଆଯାଇଛି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ୨୦୦୦ ଟଙ୍କା ପୈଠ କରାଯାଇଛି । କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା । ଛୋଟ ଚାଷୀମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା । ମୁଁ ଆଶା କରୁଛି, ଏହି ସହାୟତା
ଆପଣଙ୍କ ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ । ଚଳିତ ବନ୍ୟା ଯୋଗୁ ଆପଣମାନେ ସମସ୍ତେ ଚିନ୍ତାରେ ଅଛନ୍ତି । ମୁଁ କହିବାକୁ ଚାହେଁ, ମୁଁ ସବୁ ସମୟରେ ଆପଣମାନଙ୍କ ସାଥିରେ ଅଛି । ଶୀଘ୍ର ବନ୍ୟା କ୍ଷୟକ୍ଷତିରି ରିପୋର୍ଟ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି । ଆପଣମାନଙ୍କୁ ଖୁବ୍‌ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ । ଓଡିଶାର ଗୌରବକୁ ଆମର ଚାଷୀଭାଇମାନେ ଉଜ୍ଜ୍ୱଳ କରିଛନ୍ତି । ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.