‘ମୋ ବସ୍ ଓ ମୋ ଇ-ରାଇଡ୍‌’ ସେବାକୁ ପୁରସ୍କାର

0 64

ନୂଆଦିଲ୍ଲୀ/ଭୁବନେଶ୍ୱର, ୧ା୯(ଡିକେ ନ୍ୟୁଜ): କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସାର୍ବଜନୀନ ପରିବହନ ସେବା ପ୍ରଦାନ କରୁଥିବା ମୋ ବସ୍ ଓ ମୋ ଇ-ରାଇଡକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି । ସ୍ମାର୍ଟ ସିଟିରେ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବା ସଲ୍ୟୁସନ୍ସ ବର୍ଗରେ ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଦ୍‌ ପ୍ରାଇଡ୍‌’ ବା ସମ୍ମାନର ସହ ଯାତ୍ରାସେବା (ମୋ ବସ ଓ ମୋ ଇ-ରାଇଡ୍‌)କୁ ପୁରସ୍କାର ମିଳିଛି । ଦିବ୍ୟାଙ୍ଗ, ମହିଳା ଓ ବାଳିକା ଏବଂ ବୟସ୍କମାନେ ସମ୍ମୁଖିନ ହେଉଥିବା ସମସ୍ୟା ଦୂର କରିବା ସହିତ ସେମାନଙ୍କୁ ସହରସ୍ତରୀୟ ଅଭିଗମ୍ୟତା ଓ ସମାବେଶିତା ପ୍ରଦାନ କରିବା ଲାଗି ଜାତୀୟ ସହରାଞ୍ଚଳ ବ୍ୟାପାର ସଂସ୍ଥାନ (ଏନଆଇୟୁଏ) ଏବଂ ଭାରତରେ ମିଳିତ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି ଅବସରରେ ଭାରତରେ ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶୋମ୍ବି ଶାର୍ପ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସ୍ମାର୍ଟ ସିଟି ମିଶନର ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ କୁନାଲ କୁମାରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୁରୀ କହିଥିଲେ ଯେ, ଅଭିନବ ସମାଧାନଗୁଡ଼ିକର ସୃଜନଶୀଳ କ୍ଷମତା ଏବଂ ଦିବ୍ୟାଙ୍ଗ, ମହିଳା ଓ ବୟସ୍କଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଏଥିରେ ରହିଥିବା ସମାଧାନ ଦେଖିବାକୁ ମିଳିବା ଆନନ୍ଦର ବିଷୟ । ଶ୍ରେଷ୍ଠ ସମାଧାନଗୁଡ଼ିକ ସବୁବେଳେ ସରଳ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିଥାଏ । ଏହାର ସ୍ପଷ୍ଟ ଲାଭ ରହିଥାଏ ଏବଂ ଏହାକୁ ବ୍ୟବହାରକାରୀମାନେ ବ୍ୟାପକ ଭାବେ ଗ୍ରହଣ କରିଥାନ୍ତି । ଏହି ସମାଧାନଗୁଡ଼ିକ ସାର୍ବଜନୀନ ଡିଜାଇନକୁ ସମନ୍ୱିତ କରିବା ସହିତ ସବୁ ଦୁର୍ବଳବର୍ଗଙ୍କ ପାଇଁ ଏକ ନିରାପଦ, ସମାବେଶୀ ଓ ଅଭିଗମ୍ୟ, ସବୁଜ ଓ ସାର୍ବଜନୀନ ସ୍ଥାନ ଯୋଗାଇ ଦେବା ନିମନ୍ତେ ଏସଡିଜି ଲକ୍ଷ୍ୟ ୧୧.୭କୁ ହାସଲ କରିବାରେ ସହାୟକ ହେବ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଭାରତରେ ଦିବ୍ୟାଙ୍ଗ ବ୍ୟକ୍ତି ଅଧିକାର ଆଇନ ୨୦୧୬ କାର୍ଯ୍ୟକାରୀ କରାଯିବା ପରେ ମାନ୍ୟତାପ୍ରାପ୍ତ ଭିନ୍ନକ୍ଷମତା ତାଲିକା ୭ରୁ ୨୧କୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ପୂର୍ବରୁ ଆକଳନ କରାଯାଉଥିବା ସଂଖ୍ୟାଠାରୁ ଖୁବ୍ ଅଧିକ ସଂଖ୍ୟକ ଲୋକ କୌଣସି ନା କୌଣସି ଅକ୍ଷମତା ସହିତ ଭାରତରେ ରହୁଛନ୍ତି । ଶ୍ରୀ ପୁରୀ କହିଥିଲେ ଯେ, ମିଳିତ ଜାତିସଂଘ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏସ୍‌ଡିଜି-୨୦୩୦କୁ ମୋଦୀ ସରକାର ପୂର୍ବରୁ କାର୍ଯ୍ୟକାରୀ କରି କରିସାରିଛନ୍ତି । ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି । ସବୁଠୁ ପଛରେ ରହିଥିବା ବ୍ୟକ୍ତିଙ୍କ କଲ୍ୟାଣ ନିମନ୍ତେ ଆମେ ସର୍ବୋଦୟରୁ ଅନ୍ତ୍ୟୋଦୟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ । ଏହା ଭାରତରେ ଏସଡିଜି ଲକ୍ଷ୍ୟକୁ ସଫଳ କରିପାରିବ । ଏସଡିଜିର ସଫଳତା ପାଇଁ ଭାରତ ଏସବୁ ଲକ୍ଷ୍ୟରେ ଭଲ ପ୍ରଦର୍ଶନ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଆଦର୍ଶ ସ୍ୱଦେଶୀ ପ୍ରଯୁକ୍ତିଗତ ନବସୃଜନ ଏବଂ ସମାଧାନକୁ ବିନିଯୋଗ କରିବା ସହିତ ଜନକୈନ୍ଦ୍ରିକ ଡିଜାଇନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସ୍ମାର୍ଟ ସଲ୍ୟୁସନ୍ସ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ଚଳିତ ବର୍ଷ ଏପ୍ରିଲ ମାସରେ ଶୁଭାରମ୍ଭ କରାଯାଇଥିଲା । ଏକ ଖୋଲା ଆବେଦନ ପ୍ରକ୍ରିୟାରେ ଏଥିପାଇଁ
୧୦୦ରୁ ଅଧିକ ଆବେଦନ ମିଳିଥିଲା । ଏଥିମଧ୍ୟରୁ ୧୦ଟି ପ୍ରଯୁକ୍ତି ଆଧାରିତ ନବସୃଜନକୁ ଚିହ୍ନଟ କରାଯାଇଥିଲା । ୭ ଜଣିଆ ବିଚାରକ ମଣ୍ଡଳୀ ବ୍ୟାପକ ଯାଞ୍ଚ କରିବା ପରେ ବିଜେତା ସମାଧାନ ବା ସଲ୍ୟୁସନ୍ସ ଭାବେ ଏହିସବୁ ପ୍ରଯୁକ୍ତି ଆଧାରିତ ନବସୃଜନକୁ ବାଛିଥିଲେ । ଏହି ଦଶଟି ପ୍ରଯୁକ୍ତି ଆଧାରିତ ସଲ୍ୟୁସନ୍ସକୁ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ‘କମ୍ପେଡିୟମ ଅଫ୍‌ ସ୍ମାର୍ଟ ଏଣ୍ଡ ଇନୋଭେଟିଭ୍ ଫର ଏନ୍ ଇନକ୍ଲୁସିଭ୍ ଏଣ୍ଡ ଆକ୍ସେସିବଲ ଅର୍ବାନ ଫ୍ୟୁଚର’ ଦସ୍ତାବିଜ ଉନ୍ମୋଚନ କରାଯାଇଥିଲା । ଏହି କମ୍ପେଡିୟମରେ ଭାରତରେ ଉପଲବ୍ଧ ପ୍ରଯୁକ୍ତି ନବସୃଜନ ଏବଂ ଶ୍ରେଷ୍ଠ ପଦ୍ଧତି ସମ୍ପର୍କରେ ଦସ୍ତାବିଜ ପ୍ରସ୍ତୁତ କରିବା ସହିତ ସୂଚନାର ପ୍ରସାର କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଚୟନ କରାଯାଇଥିବା କେତେକ ସମାଧାନ ବା ସଲ୍ୟୁସନ୍ସ ରହିଛି । ସହରାଞ୍ଚଳ ବିଶେଷଜ୍ଞମାନେ ଏହାକୁ ସହରରେ ଏକ ସମ୍ବଳ ଭାବେ ବ୍ୟବହାର କରିପାରିବେ । ସାରା ବିଶ୍ୱରେ, ବିଶେଷ କରି କମ୍ ଆୟ ବର୍ଗର ଦେଶ ପାଇଁ ମଧ୍ୟ ଏହି ଦସ୍ତାବିଜ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।

Leave A Reply

Your email address will not be published.