ଭୁବନେଶ୍ୱର, ୫ା୯(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରକୁ ୫୦ ହଜାର ଲୋକ ଆସିବାକୁ ଥିବାରୁ କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅନ୍ୟ ଯାତ୍ରୀଙ୍କ ଯିବା ଆସିବାରେ ଯେଭଳି କୌଣସି ଅସୁବିଧା ନ ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋସ୍ର୍ ଓ ୧୦୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ । ଅନ୍ୟପଟେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆସୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ଭିନ୍ନ ସ୍ଥାନରେ ୩ଟି ଅତିରିକ୍ତ ଟ୍ରାଫିକ୍ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ସ୍ଥଳେ ଟ୍ରାଫିକ୍ ଡାଇଭର୍ସନ ଓ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୋଲିସ ସ୍ୱତନ୍ତ୍ର ପରାମର୍ଶ ଜାରି କରିଛି । ଧାର୍ଯ୍ୟ ବିମାନ ସମୟର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛି କମିସନରେଟ୍ ପୋଲିସ । ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବା ଗାଡ଼ିଗୁଡ଼ିକ ରୁଟ୍ ଲାଇନିଂ ବ୍ୟବସ୍ଥା କରାଯାଇଛି । ସବୁ ଛକରେ ପୋଲିସ ଓ ଟ୍ରାଫିକ୍ ପୋଲିସ ରହିଛି ଗାଡିଗୁଡ଼ିକୁ ଗନ୍ତବ୍ୟ ସ୍ଥଳକୁ ଛାଡ଼ିବେ । ଖୋର୍ଦ୍ଧାପଟୁ ଆସୁଥିବା ଗାଡ଼ି ପଳାଶପଲ୍ଲୀର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ପାର୍କିଂ ହେବ । ପୁରୀ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଶିଶୁଭବନ ଓ କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ଚିହ୍ନଟ ସ୍ଥାନରେ ପାର୍କିଂ କରିବେ । ସେହିପରି ଅନ୍ୟ ଦିଗରୁ ଆସୁଥିବା ଗାଡ଼ି କ୍ୟାପିଟାଲ ହସ୍ପିଟାଲ ନିକଟ ୟୁନିଟ-୬ ପଡିଆରେ ପାର୍କିଂ କରିବେ । ସୁରକ୍ଷା ଦାୟିତ୍ୱରେ ରହିବେ ୮ଜଣ ଏଡିସିପି ଏବଂ ୧୬ ଏସିପି । ଏଥିସହିତ ରାଜଧାନୀରେ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋସ୍ର୍ ।