ଜାତୀୟ ରାଜନୀତିରେ ବଢ଼ୁଛି ନବୀନଙ୍କ ଦବ୍‌ଦବା

0 68

ଭୁବନେଶ୍ୱର, ୭ା୯(ଡିକେ ନ୍ୟୁଜ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଛାଡିବା ପରେ ଜାତୀୟ ରାଜନୀତିରେ ଏକାଧିକ ରୋଚକ ଘଟଣା ଘଟିବାରେ ଲାଗିଛି । ଇତି ମଧ୍ୟରେ ନୀତୀଶ କୁମାର ନୂଆଦିଲ୍ଲୀ ଗସ୍ତ କରି ଏକାଧିକ ବିରୋଧୀ ଦଳ ନେତାମାନଙ୍କୁ ଭେଟିଛନ୍ତି । ଗତ କିଛିଦିନ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଆଇଏନ୍‌ଏଲ୍‌ଡି ନେତା ଓମ୍‌ ପ୍ରକାଶ ଚୌତାଲା, ଜେଡିଏସ୍‌ ନେତା କୁମାରସ୍ୱାମୀ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ପ୍ରମୁଖଙ୍କୁ ଭେଟିଛନ୍ତି । ସେହିପରି କିଛିଦିନ ପୂର୍ବରୁ ବିଜେପିର ଅନ୍ୟତମ କଠୋର ବିରୋଧୀ କୁହାଯାଉଥିବା ଟିଆରଏସ୍‌ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ସହ ନୀତିଶଙ୍କର ଆଲୋଚନା ହୋଇଛି । ଏହି କ୍ରମରେ ନିକଟ ଭବିଷ୍ୟତରେ ନୀତୀଶ ଓଡ଼ିଶାଗସ୍ତ କରିବା ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକ ଜାତୀୟ ମେଣ୍ଟ ଗଠନ ପାଇଁ ନୀତିଶ ପ୍ରସ୍ତୁତି ଚଳାଇଛନ୍ତି । ଅଣବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ସେ ପ୍ରସ୍ତୁତ କରିଥିବା ରଣନୀତି କେତେ ସଫଳ ହେବ ତାହା ଭିନ୍ନ କଥା; ମାତ୍ର ନୀତୀଶଙ୍କ ଓଡ଼ିଶା ଗସ୍ତ ରାଜ୍ୟ ବିଜେପି ପାଇଁ ଶିରପୀଡ଼ାର କାରଣ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି । ରାଜନୈତିକ ସମୀକ୍ଷକମାନଙ୍କ ମତ ଅନୁସାରେ ଓଡ଼ିଶାରେ ବିଜେଡି ଦୀର୍ଘଦିନ ଧରି ଶାସନରେ ରହିଛି । ଏହି ଆଞ୍ଚଳିକ ଦଳ ନିଜର ଏକ ବୃହତ୍‌ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ଦଳର ଭୋଟ ହାର ଏବେ ୫୦% ଅତିକ୍ରମ କରିଛି । ଏହି ସ୍ଥିତିରେ ବିଜେଡିକୁ କୌଣସି ଜାତୀୟ କିମ୍ବା ଆଞ୍ଚଳିକ ଦଳ ଚ୍ୟାଲେଞ୍ଜ କରିବା ପରିସ୍ଥିତିରେ ନାହାନ୍ତି । ମାତ୍ର ସବୁ ରାଜ୍ୟ ପରି ଏକ ସରକାରୀ ବିରୋଧୀ ଭୋଟ ରହିଥାଏ । ସେହି ଦୃଷ୍ଟିରେ ୨୦୧୪ ଏବଂ ୨୦୧୯ରେ ମୋଦି ହାୱା ବିଜେପିର ଭୋଟ ପ୍ରତିଶତ ବୃଦ୍ଧି କରିଥିଲା । ମାତ୍ର ବିଜେପିର ସେହି ଲୋକପ୍ରିୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବିଜେପି ପାଇଥିବା ଶାସକ ବିରୋଧୀ ଭୋଟ ବିଭାଜନ ହେବାର ଯଥେଷ୍ଟ ଆଶଙ୍କା କରାଯାଉଛି । କିଛି ବରିଷ୍ଠ କଂଗ୍ରେସ ଓ ବାମପନ୍ଥୀ ନେତାଙ୍କ କହିବାନୁଯାୟୀ, କଂଗ୍ରେସ ଓ ବାମ ଦଳ ଏକାକୀ କୌଣସି ଲୋକସଭା ଜିତିବା କଷ୍ଟକର ହୋଇପାରେ । ମାତ୍ର ନବରଙ୍ଗପୁର ଓ କୋରାପୁଟରେ ଦଳ ଭଲ ସ୍ଥିତିରେ ରହିଛି । ନିତୀଶ ବିରୋଧୀ ମେଣ୍ଟକୁ ଆସିବା ଫଳରେ ଓଡ଼ିଶାରେ କଂଗ୍ରେସ, ସମସ୍ତ ବାମଦଳ ଏବଂ ଅନ୍ୟ ଆଞ୍ଚଳିକ ଶକ୍ତି ଯଦି ସଙ୍ଗଠିତ ହୁଅନ୍ତି, ତେବେ ଏହା ବିଜେପି ୨୦୧୯ରେ ପାଇଥିବା ଭୋଟ ବ୍ୟାଙ୍କ୍‌କୁ ନିଶ୍ଚୟ ପ୍ରଭାବିତ କରିବ । ଏହି ଆଞ୍ଚଳିକ ଶକ୍ତି ଯଦି ବିଜେପିର ଲୋକସଭା ସିଟ୍‌ ହ୍ରାସ କରାଇପାରୁଛି, ତେବେ ଏହା କମ୍‌ ଉପଲବ୍ଧି ହେବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୪ରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ କଂଗ୍ରେସ, ସିପିଆଇ, ସିପିଏମ୍‌, ଜେଏମଏମ୍‌ ମେଣ୍ଟ ଗଠନର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷ ଭାବେ ଅଣବିଜେପି-ଅଣ କଂଗ୍ରେସ ରାଜନୀତିରେ ବିଶ୍ୱାସ କରୁଥିବା କେତେକ ନେତା ରାଜ୍ୟରେ ନୂତନ ରାଜନୈତିକ ଫ୍ଲାଟଫର୍ମ ସୃଷ୍ଟି କରିବା ନେଇ ମଧ୍ୟ ବି·ରବିମର୍ଶ ଚଳାଇଛନ୍ତି । ଏହି ରାଜନୈତିକ ସାମ୍ମୁଖ୍ୟ ବେକାରୀ, ଦରବୃଦ୍ଧି, ରାଜ୍ୟକୁ କେନ୍ଦ୍ରର ଅବହେଳା, ସାମାଜିକ ନ୍ୟାୟ ପ୍ରସଙ୍ଗକୁ ନେଇ କମନ୍‌ ମିନିମନ୍‌ ପ୍ରୋଗ୍ରାମ (ସାଧାରଣ ରାଜନୈତିକ) କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.