ଅଢେ଼ଇ ହଜାର ବ୍ରତଧାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

0 61

ପୁରୀ, ୭ା୯(ଡିକେ ନ୍ୟୁଜ): ଆଗକୁ ଆସୁଛି କାର୍ତ୍ତିକ ମାସ । ୨ ବର୍ଷ ପରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ । ପବିତ୍ର କାର୍ତ୍ତିକ ମାସରେ ପୁରୀକୁ ବହୁ ସଂଖ୍ୟକ ହବିଷ୍ୟାଳୀ ବ୍ରତ ପାଳନ କରିବାକୁ ଆସିଥାନ୍ତି । ସେମାନେ ନିଜ ନିଜ ଉଦ୍ୟମରେ ମଠ, ଧର୍ମଶାଳାରେ ରୁହନ୍ତି । ଏଥିପାଇଁ ବ୍ରତଧାରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଏମିତି ବି କେତେ ଜଣଙ୍କର ଶ୍ରୀକ୍ଷେତ୍ରରେ ରହି ହବିଷ କରିବାକୁ ଇଚ୍ଛା ଥିଲେ ବି ଅର୍ଥାଭାବରୁ ଆସିପାରି ନ ଥାନ୍ତି । ଏହି ଅସୁବିଧାକୁ ଦୂର କରିବାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷ୍ୟାଳୀ ଯୋଜନା । ହେଲେ କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ଏହି ଯୋଜନା ବନ୍ଦ ରହିଥିବା ବେଳେ ଏ ବର୍ଷ ପୁଣି ଆରମ୍ଭ ହେବ । ଏଥିପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ପ୍ରାୟ ଅଢେଇ ହଜାର ବ୍ରତଧାରୀଙ୍କୁ ରଖିବା ଲାଗି ପ୍ରଶାସନ ଚିନ୍ତା କରୁଛି । ଏ ନେଇ ୮ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ୧୦ରୁ ପଞ୍ଜୀକରଣ ଆରମ୍ଭ କରାଯାଇ ୨୫ରେ ଶେଷ ହେବ । ଏଥର ନୂତନ ହବିଷିଆଳୀ ଶିବିର ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହେବ । ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସରେ ହବିଷିଆଳୀମାନେ ରହିବେ । ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ । ଆବଶ୍ୟକ ପଡ଼ିଲେ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଏବଂ ମୋଚିସାହି କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଶିବିର କରାଯିବ । ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ୟାଳୀ ପଞ୍ଜୀକରଣ କରିବେ । ହବିଷିଆଳୀଙ୍କ ପାଇଁ ବୁଷ୍ଟର ଡୋଜ ବାଧ୍ୟତାମୂକଳ ରହିବ ବୋଲି ଜଣାପଡ଼ିଛି । ପ୍ରତିବର୍ଷ କାର୍ତ୍ତିକ ମାସର ବ୍ରତ ପାଳନ ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳୀ ଆସିଥାନ୍ତି । ପରିଣତ ବୟସରେ ହବିଷ କରିବାକୁ ଆସୁଥିବା ବ୍ରତଧାରୀମାନେ ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ମଠ, ମନ୍ଦିର, ଧର୍ମଶାଳା ଏବଂ କେହି କେହି ନିଜ ସମ୍ପର୍କୀୟଙ୍କ ଘରେ ରହିଥାନ୍ତି । ଏମିତି ବି ଅନେକ ବ୍ରତଧାରୀ ଅଛନ୍ତି, ଯେଉଁମାନେ କେବଳ ପଞ୍ଚକ ପାଞ୍ଚଦିନ ଶ୍ରୀକ୍ଷେତ୍ର ରହି ହବିଷ କରିଥାନ୍ତି । ଏମାନେ ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ରାଇଦାମୋଦରଙ୍କୁ ପୂଜା କରିଥାନ୍ତି । ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଦିନକୁ ଥରେ ହବିଷାନ୍ନ ସେବନ କରନ୍ତି । କେହି କେହି ହାତରେ ହବିଷାନ୍ନ ପ୍ରସ୍ତୁତ କରୁଥିବା ବେଳେ ଆଉ କେହି ମାସଟା ଯାକ ମହାପ୍ରସାଦ ମଧ୍ୟ ସେବନ କରିଥାନ୍ତି । ସାଧାରଣତଃ ଅଧିକାଂଶ ପରିଣତ ବୟସରେ ପହଞ୍ଚିଥିବା ମହିଳାମାନେ ବ୍ରତ କରିବାକୁ ପୁରୀ ଆସିଥାନ୍ତି । ତେଣୁ ସେମାନେ କିପରି ମାଗଣାରେ ରହି ବ୍ରତ ପାଳନ କରିବେ, ସେଥିଲାଗି ୨୦୧୬ରେ ରାଜ୍ୟ ସରକାର ହବିଷ୍ୟାଳୀ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ, ପ୍ରଥମେ ହବିଷିଆଳୀମାନେ ସେମାନଙ୍କ ନାମ ପଞ୍ଜୀକରଣ କରୁଥିଲେ । ରାଜ୍ୟର ଯେ କୌଣସି ଜିଲ୍ଲାର ହବିଷିଆଳୀଙ୍କ ପାଇଁ ଏହି ସୁବିଧା ରହିଥିଲା । ପ୍ରଶାସନ ପକ୍ଷରୁ ରେଳବାଇ ଯାତ୍ରୀ ନିବାସ, ରେଲୱେ କଲ୍ୟାଣ ମଣ୍ଡପ, ପୌରପାଳିକା କଲ୍ୟାଣ ମଣ୍ଡପ, ଶ୍ରୀଜଗନ୍ନାଥ ବଲ୍ଲଭ ବାଖ୍ୟାନ କେନ୍ଦ୍ରରେ ହବିଷ୍ୟାଳୀ ଶିବିର କରାଯାଉଥିଲା । ଏପରି କି ଗୋଟିଏ ବର୍ଷ ପୁରୁଣା ଜେଲ୍‌ ପରିସରରେ ମଧ୍ୟ ଏହି ଶିବିର କରାଯାଇଥିଲା । ହବିଷ୍ୟାଳୀମାନେ ମାସେ ପର୍ଯ୍ୟନ୍ତ ରହି ମନ୍ଦିରକୁ ଯିବା ସହ ଅବଢ଼ା ସେବନ କରିପାରୁଥିଲେ । ଦୁଇବର୍ଷ ପରେ ପୁଣି କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସଂସ୍କୃତି ଅଧିକାରୀଙ୍କ ସହ ପରି·ଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.