ତାଇପେଇ ୦୮ ।୦୯: ତାଇୱାନ ଜଳରାଶିରେ ଚୀନ୍ର ଦାଦାଗିରି ଦିନକୁ ଦିନ ସୀମା ଅତିକ୍ରମ କରୁଥିବା ବେଳେ ଏହାର ମୁକାବିଲା ପାଇଁ ତାଇୱାନ- ଆମେରିକା-ଜାପାନ ଏକାଠି ହୋଇଛନ୍ତି । ତାଇୱାନ ଷ୍ଟ୍ରେଟ୍କୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବାକୁ ଚୀନ୍ର ପ୍ରୟାସକୁ ପଣ୍ଡ କରିବା ନିମନ୍ତେ ତାଇୱାନ ବାୟୁସେନା କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିବା ପରେ ଏଥିପାଇଁ ଆମେରିକା ପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି । ଚୀନ୍ ସେନାର ବିଶାଳ ଉପସ୍ଥିତି ଏବଂ ଯୁଦ୍ଧ ଜାହାଜ ମୁତୟନ ସତ୍ତେ୍ୱ ତାଇୱାନ ଅବିଚଳିତ ରହିବା ପଛରେ ଆମେରିକାର ଆଶ୍ୱାସନା ହିଁ ମୁଖ୍ୟ କାରଣ ବୋଲି କୁହାଯାଇଛି । ଆମେରିକା ଓ ଜାପାନ ମଧ୍ୟ ତାଇୱାନ୍ ଷ୍ଟ୍ରେଟ୍ରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ କରୁଛନ୍ତି । ଆମେରିକା ନିଜର ମହାବିନାଶକ ବିମାନବାହୀ ଯୁଦ୍ଧପୋତ ମୁତୟନ କରିଥିବା ବେଳେ ଜାପାନ ମଧ୍ୟ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ହାଇଆଲର୍ଟ ରଖିଛି । ଆମେରିକା ବିଭିନ୍ନ ରେଂଜ୍ର କ୍ଷେପଣାସ୍ତ୍ର ନିଜ ଯୁଦ୍ଧପୋତଗୁଡ଼ିକରେ ମହଜୁଦ ରଖିବା ସହ ମେରିନ କମାଣ୍ଡୋ ବାହିନୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମତାର ସହ ନିୟୋଜିତ କରିଛି । ଚୀନ୍ ଡ୍ରୋନ୍ଗୁଡ଼ିକୁ ଆକ୍ରମଣ କରି ଖସାଇ ଦେବା ନିମନ୍ତେ ତାଇୱାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦିଆଯାଇଛି । ତାଇୱାନର ଶତାଧିକ ପାଇଲଟ୍ ଇତିମଧ୍ୟରେ ଆମେରିକାରେ ନୂଆ ପିଢ଼ିର ସର୍ବାଧୁନିକ ଯୁଦ୍ଧ ବିମାନ ଚାଳନ କୌଶଳ ଶିକ୍ଷା କରି ଫେରିଛନ୍ତି । ଚୀନ୍ ସହ ଭୀଷଣ ଯୁଦ୍ଧ ସ୍ଥିତିରେ ଆମେରିକା ତାଇୱାନର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇସାରିଛି । ଚୀନ୍ ଆମେରିକାକୁ ଧମକାଇ ଯେଭଳି ତାଇୱାନ ମାମଲାରୁ ଦୂରେଇ ରଖିବାକୁ ଚାହୁଥିଲା ତାହା କାମ ଦେଇନାହିଁ । ଏଭଳି ସ୍ଥିତିରେ ଅଚାନକ ତାଇୱାନକୁ ଦଖଲ କରିନେବା ପାଇଁ ଚୀନ୍ କୌଣସି ବଡ଼ ସାମରିକ ଯୋଜନା କାର୍ଯ୍ୟକାରୀ କରିବାକୁ ସାହସ ଜୁଟାଇ ପାରୁନଥିବା କୁହାଯାଇଛି । ତାଇୱାନ ଉପରେ ଆକ୍ରମଣ କରି ସୀମିତ କାର୍ଯ୍ୟାନୁଷ୍ଠାନରେ ଏହାକୁ ଦଖଲକୁ ନେବା ସମ୍ଭବ ନଥିବାରୁ ପୂର୍ଣ୍ଣାଙ୍ଗ ଯୁଦ୍ଧ ହିଁ ଚୀନ୍ ପାଖରେ ଏକମାତ୍ର ବିକଳ୍ପ ଭାବେ ରହିଯାଇଛି । ତେବେ ସାଂପ୍ରତିକ ବିଶ୍ୱ ଦୃଶ୍ୟପଟରେ ଏଭଳି ଯୁଦ୍ଧ ଚୀନ୍ ପାଇଁ ଅତି ମହଙ୍ଗା ସାବ୍ୟସ୍ତ ହେବ ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ତେଣୁ ଚୀନ୍ ତାଇୱାନର ବାଣିଜ୍ୟିକ କାରବାକୁ ଠପ୍ କରିବା ପାଇଁ କେବଳ ଘେରାବନ୍ଦୀରେ ରଖିବାକୁ ଚାହୁଛି । ତେବେ ଏଭଳି ପ୍ରକ୍ରିୟା ମଧ୍ୟ ଅଧିକ ଦିନ ତିଷ୍ଠି ରହିବ ନାହିଁ ଏବଂ ତାଇୱାନ ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛି । ତାଇୱାନକୁ ଏଥିରେ ସହଯୋଗ ପାଇଁ ଆମେରିକା ସେନା ସକ୍ରିୟ ହୋଇଉଠିଛି । ଆମେରିକାର ଏଭଳି ପଦକ୍ଷେପକୁ ରୋକିବା ପାଇଁ ଚୀନ୍ କେବଳ ଗୋଟିଏ ପରେ ଗୋଟିଏ ଚେତାବନୀ ଦେଇ ଚାଲିଥିଲେ ମଧ୍ୟ ତାହାକୁ ଆମେରିକା ତାହାକୁ ଅଣଦେଖା କରିଛି । ତାଇୱାନର ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ଆଇନ ଆଧାରରେ ପଦକ୍ଷେପ ନେବୁ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଘୋଷଣା ପରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କୌଣସି ଜବାବୀ ମନ୍ତବ୍ୟ ଦେଇନାହାନ୍ତି ।