ଲଘୁଚାପ: ୧୨ ଯାଏ ପ୍ରବଳ ବର୍ଷା

0 63

ଭୁବନେଶ୍ୱର, ୯ା୯(ଡିକେ ନ୍ୟୁଜ): ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଲଘୁଚାପଟି ଆହୁରି ଘନୀଭୂତ ହେବାକୁ ଥିବାରୁ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ଜଣାପଡ଼ିଛି । ବିଶେଷ କରି ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଏଥିପାଇଁ ଏହି ଦୁଇଦିନ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୧୦ ତାରିଖରେ ୧୧ ଜିଲ୍ଲା, ୧୧ ତାରିଖରେ ୧୦ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛିୟ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଲଘୁଚାପଟି ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳକୁ ଆସିବ । ୧୧ ତାରିଖ ସକାଳ ଓଳି ଦକ୍ଷିଣ ଓଡ଼ିଶା ଉପକୂଳ କିମ୍ବା ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ହୋଇ ଆଭ୍ୟନ୍ତର ଓଡ଼ିଶାକୁ ଯିବ । ଏହାର ପ୍ରଭାବରେ ସନ୍ଧ୍ୟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ । ଆଜିଠାରୁ ବର୍ଷାର ପ୍ରଭାବ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ଲଘୁଚାପ ପ୍ରଭାବରେ ୪ ଜିଲ୍ଲା କୋରାପୁଟ, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ କଳାହାଣ୍ଡି, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୦ରେ ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଗଞ୍ଜାମ, ନୟାଗଡ଼, ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟମରୁ ଭାରି ବର୍ଷା ହେବ । ୧୧ରେ ଗଞ୍ଜାମ ଓ ନୟାଗଡ଼ରେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ପୁରୀ ଓ ଖୋର୍ଦ୍ଧାରେ ପ୍ରାୟତଃ ପ୍ରବଳ ଏବଂ ଅନ୍ୟାନ୍ୟ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ବର୍ଷା ହେବ । ୧୧ ସନ୍ଧ୍ୟା ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି ବର୍ଷା ସହ ୧୨ରେ ଉତ୍ତର-ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା ଲାଗି ରହିପାରେ । ପର ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ହୋଇଛି । ଯାହାଦ୍ୱାରା ରାଜ୍ୟରେ ଅନ୍ତତଃ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କୋରାପୁଟ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଭନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.