କାନ୍ଦୁଛି ବ୍ରିଟେନ୍‌: ଝୁରୁଛି ବିଶ

0 61

ନୂଆଦିଲ୍ଲୀ, ୯ା୯: ବ୍ରିଟେନର ଦୀର୍ଘତମ ଶାସନ କରୁଥିବା ରାଣୀ ଏଲିଜାବେଥ୍‌ଙ୍କର ଗୁରୁବାର ଦେହାନ୍ତ ହୋଇଛି । ସେ ୯୬ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଏନେଇ ବକିଂହମ୍‌ ପ୍ୟାଲେସ୍‌ ତରଫରୁ ସୂଚନା ମିଳିଛି । ବକିଂହମ୍‌ ପ୍ୟାଲେସ୍‌ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ବାଲମୋରାଲରେ ରାଣୀ ଶାନ୍ତିରେ ଚୀରନିଦ୍ରାରେ ଯାଇଛନ୍ତି । ମହାରାଣୀଙ୍କ ସମ୍ମାନାର୍ଥେ ବ୍ରିଟେନ୍‌ ୱେର ପ୍ରାସାଦରେ ପତାକାକୁ ୧୦ ଦିନ ଅର୍ଦ୍ଧନମିତ୍ତ ରଖାଯିବା ଲାଗି ସରକାରୀ ଭାବେ ଘୋଷଣା କରାଯାଇଛି । ବ୍ରିଟେନ୍‌ ଓ ଅନ୍ୟ ୧୪ଟି ରାଜତନ୍ତ୍ର ଏବଂ ୫୪ ସଦସ୍ୟ ବିଶିଷ୍ଟ ରାଜ୍ୟଗୋଷ୍ଠୀ ଦେଶର ମୁଖ୍ୟ ରହିଆସିଥିବା ଏଲିଜାବେଥ ବିଶ୍ୱର ସର୍ବାଧିକ ସମ୍ମାନାସ୍ପଦ ବ୍ୟକ୍ତି ମାନ୍ୟତା ପାଇଥିଲେ । ମହାରାଣୀଙ୍କ ମୃତ୍ୟୁପରେ ବ୍ରିଟେନ୍‌ର ନୂଆ ରାଜା ଭାବେ ପ୍ରିନ୍ସ ଚାର୍ଲ୍ସ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆନୁଷ୍ଠାନିକ ଭାବେ ରାଜପଦରେ ଅଭିଷିକ୍ତ ହେବା ପରେ ପ୍ରିନ୍ସ ଚାର୍ଲ୍ସ ତୃତୀୟ ଭାବେ ପରିଚିତ ହେବେ । ବ୍ରିଟିଶ ରାଜପରିବାରର ଇତିହାସରେ ରାଜାପଦ ପାଇବା ପାଇଁ ତାଙ୍କୁ ସର୍ବାଧିକ କାଳ ଅପେକ୍ଷା କରିବାକୁ ପଡ଼ିଥିଲା । ଏହି ଅବସରରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ କହିଛନ୍ତି ମହାରାଣୀଙ୍କ ପରଲୋକ ଖବରରେ ଆମେ ସମସ୍ତେ ମର୍ମାହତ । ଏହା ବ୍ରିଟେନ୍‌ ତଥା ବିଶ୍ୱ ପାଇଁ ବଡ଼ ଝଟକା । ରାଣୀ ଏଲିଜାବେଥ ହେଉଛନ୍ତି ଏକ ବୃହତ୍‌ ଶିଳାଖଣ୍ଡ । ଯାହା ଉପରେ ବ୍ରିଟେନ୍‌ ଛିଡ଼ା ହୋଇଛି । ତାଙ୍କ ସମ୍ମାନାଥେ ବ୍ରିଟେନ୍‌ରେ ୧୦ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ମହାରାଣୀ ଏଲିଜାବେଥ ଭାରତକୁ ତାଙ୍କ ଜୀବଦଶାରେ ୩ଥର ଆସିଥିଲେ । ୧୯୬୧, ୧୯୮୩ ଏବଂ ୧୯୯୭ରେ ସେ ଭାରତର ଅତିଥି ହୋଇଥିଲେ । ଆସନ୍ତା ୧୧ ତାରିଖରେ ଭାରତରେ ତାଙ୍କ ସମ୍ମାନାର୍ଥେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ।

Leave A Reply

Your email address will not be published.