ଭୁବନେଶ୍ୱର, ୧୧ା୯ (ଡିକେ ନ୍ୟୁଜ୍): ଡେଙ୍ଗୁର ହଟ୍ସ୍ପଟ୍ ପାଲଟିଛି ଭୁବନେଶ୍ୱର । ଘରେ ଘରେ ଡେଙ୍ଗୁ ରୋଗୀ । ଯେତେ ସଚେତନ କଲେ ବି ଭୁବନେଶ୍ୱରରେ ବଢ଼ିଚାଲିଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୯୧ଜଣ ରୋଗୀ । ଖୋର୍ଦ୍ଧା ଜିଲ୍ଲାରେ ୧୮୨୮ ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱରରେ କେବଳ ୧୭୨୧ଜଣ ଡେଙ୍ଗୁ ରୋଗୀ ଅଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ କହିଛି ସେପ୍ଟେମ୍ବର ୮ ସୁଦ୍ଧା ୨୪,୩୦୩ ନମୂନାରୁ ୨୮୮୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ଗତବର୍ଷଠାରୁ କମ୍ । ବର୍ଷା ଯୋଗୁ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି । ଆଉ କିଛି ଦିନ ପରେ ଅବସ୍ଥାରେ ସୁଧାର ଆସିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଡେଙ୍ଗୁକୁ ନେଇ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆଇସିଏମ୍ଆର) ପକ୍ଷରୁ କୁହାଯାଇଛି ଯେ, ୧୫୩ ନମୂନା ସେରୋ ଟାଇପିଂ କରାଯାଇଛି । କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା, ବରଗଡ଼ରୁ ଏହି ନମୂନା ସଂଗ୍ରହ ହୋଇଥିଲା । ଚଳିତବର୍ଷ ୩ ପ୍ରକାରର ଡେଙ୍ଗୁ ସେରୋଟାଇପ୍ ଭାଇରସ୍ ଚିହ୍ନଟ ହୋଇଛନ୍ତି । ୧୭.୫ ପ୍ରତିଶତ ରୋଗୀ ଟାଇପ୍-୧, ୧୮.୬ ରୋଗୀ ଟାଇପ୍-୨ ଏବଂ ୫୪ ପ୍ରତିଶତ ରୋଗୀ ଟାଇପ୍-୩ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ବିଶେଷତ୍ୱ ଜଣେ ରୋଗୀ ଗୋଟିଏ ପ୍ରକାର ଡେଙ୍ଗୁ ଭାରିଆଣ୍ଟ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଲେ ରୋଗୀ ଦେହରେ ସେ ଭାଇରସ୍ ବିରୋଧରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ । କିନ୍ତୁ ସମାନ ରୋଗୀ ଅନ୍ୟ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଲେ ଏଭଳି କ୍ଷେତ୍ରରେ ରୋଗୀ ଗୁରୁତର ହେବ । ସର୍ବୋପରି ଏକାଧିକ ସଂକ୍ରମଣରେ ପୀଡ଼ିତ ଡେଙ୍ଗୁ ରୋଗୀଙ୍କ ପ୍ଲାଟେଲେଟ୍ ସ୍ତର ଭଲ ରହୁଥିବା କହିଛନ୍ତି ବିଶେଷଜ୍ଞ । କୋରାପୁଟରେ ୩୫୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରେ ୨୮୪, ମାଲକାନଗିରିରେ ୧୯୭ ଓ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳକୁ ରହିଛି ରୋଗୀଙ୍କ ସଂଖ୍ୟା ।