ବିରୋଧୀଙ୍କୁ ଘାରିଛି ନିର୍ବାଚନୀ ବୈତରଣୀ ରାଜ୍ୟ ବିକାଶ ଚିନ୍ତାରେ ନବୀନ

0 59

ଭୁବନେଶ୍ୱର, ୧୧ା୯ (ଡିକେ ନ୍ୟୁଜ୍‌): ଗୋଟିଏ ପଟେ ବିରୋଧୀଙ୍କୁ ନିର୍ବାଚନ ଚିନ୍ତା ଘାରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ରାଜ୍ୟର ବିକାଶ ପାଇଁ ଅହରହ ଲାଗିଛନ୍ତି । ମେକ୍‌ ଇନ୍‌ ଓଡ଼ିଶା ତୃତୀୟ ସଂସ୍କରଣରେ କିଭଳି ଅଧିକ ଶିଳ୍ପପତି ଓଡ଼ିଶାକୁ ଆସିବେ ଏବଂ ରାଜ୍ୟର ଉନ୍ନତି ସାଧନ ହେବ ସେଥିପାଇଁ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଦୁବାଇ, ଅହମ୍ମଦାବାଦ ଓ ଦିଲ୍ଲୀ ପରେ ଏବେ ମୁମ୍ବାଇ ଯିବେ ନବୀନ । ରାଜ୍ୟରେ ବୃହତ୍‌ ପୁଞ୍ଜିନିବେଶ ହେଉଛି ଏକମାତ୍ର ଉଦ୍ଦେଶ୍ୟ । ଏଥିପାଇଁ ସେପ୍ଟେମ୍ବର ୧୪ ତାରିଖରେ ମୁମ୍ବାଇରେ ନିବେଶକ ସମ୍ମିଳନୀ ହେବ । ଅମ୍ବାନୀ, ଆଦାନୀ ଏବଂ ମହିନ୍ଦ୍ରାଙ୍କ ପରି ବଡ଼ ବଡ଼ ଶିଳ୍ପପତିଙ୍କ ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ନଭେମ୍ବର ୩୦ରୁ ଡିସେମ୍ବର ୧୪ ତାରିଖ ଯାଏ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ହେବ । ଏହା ପୂର୍ବରୁ ନିବେଶକଙ୍କୁ ନିବେଶ ଅନୁକୂଳ ବାତାବରଣ ସହ ପରିଚିତ କରାଇବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ଅବ୍ୟାହତ ରହିଛି, ଯାହା ତାଙ୍କର ଲୋକପ୍ରିୟତାକୁ ଦିନକୁ ଦିନ ବୃଦ୍ଧି କରିବାରେ ଲାଗିଛି । ନିକଟ ଅତୀତରେ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇ ରାଜ୍ୟକୁ ଫେରିବା ପରେ ହଜାର ହଜାର ଲୋକ ତାଙ୍କ ଝଲକ୍‌ ପାଇବା ପାଇଁ ରାଜଧାନୀକୁ ଛୁଟି ଆସିଥିଲେ । କିନ୍ତୁ ଏଭଳି ସମୟରେ ରାଜ୍ୟର ବିକାଶ ଚିନ୍ତା ଛାଡ଼ି ବିରୋଧୀମାନେ କିଭଳି ନିର୍ବାଚନ ବୈତରଣୀ ପାର୍‌ କରିବେ ସେହି ଚିନ୍ତାରେ ଲାଗିଛନ୍ତି । ସେମାନଙ୍କର ଶେଷ ଭରସା ପାଲଟିଛନ୍ତି କେନ୍ଦ୍ରୀୟ ନେତା । ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଏବଂ କଂଗ୍ରେସ ପାଇଁ ଭେଟେରାନ୍‌ ନେତା ଓଡ଼ିଶା ଗସ୍ତକୁ ମାଧ୍ୟମ କରିଛନ୍ତି । ସେଥିପାଇଁ
ଓଡ଼ିଶାକୁ ବାରମ୍ବାର କେନ୍ଦ୍ରୀୟ ନେତା ଆସି ଡେରା ପକାଇବା ଆରମ୍ଭ କରିଛନ୍ତି । ଆସନ୍ତା ୧୩ରୁ ୧୫ ତାରିଖ ଯାଏ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର କରିବାକୁ ଯାଉଥିବା ବେଳେ କଂଗ୍ରେସ ଭାରତଯୋଡ଼ କାର୍ଯ୍ୟକ୍ରମ ପାଇଁ ଲାଗି ପଡ଼ିଛି । ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ବିରୋଧୀଙ୍କ କୌଣସି ରଣନୀତି ନବୀନଙ୍କ ଲୋକପ୍ରିୟତା ଆଗରେ କାମ କରୁନାହିଁ । କାରଣ ଲୋକେ ବୁଝିଛନ୍ତି କେବଳ ରାଜ୍ୟର ବିକାଶ ନବୀନଙ୍କ ଯୋଗୁ ସମ୍ଭବ ହେଉଛି । ରାଜ୍ୟର ବିକାଶ ପାଇଁ ଶିଳ୍ପାୟନ ହିଁ ମୁଖ୍ୟ ମାଧ୍ୟମ । ଏଥିପାଇଁ ନଭେମ୍ବର ୩୦ରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ଦୁବାଇ ସମ୍ମିଳନୀରେ ୨୧ହଜାର କୋଟି ନିବେଶ ପାଇଁ ବାଟ ଫିଟିଥିବା ବେଳେ ଦିଲ୍ଲୀ ନିବେଶକ ସମ୍ମିଳନୀରେ ୫୦୦ ନିବେଶକଙ୍କ ସମେତ ୧୬ ଦେଶର
ରାଷ୍ଟ୍ରଦୂତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅନ୍ୟପକ୍ଷରେ ୨୦୧୬ରେ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଦ୍ୱାରା ୨ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସିପାରିଥିଲା । ସେହିପରି ୨୦୧୮ରେ ଏହା ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିଥିଲା । ୨ଟି କନକ୍ଲେଭରେ ଯଥାକ୍ରମେ ୧୮,୫୦୦ ଏବଂ ୪୫,୦୦୦ ଅଂଶଗ୍ରହଣକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ନୂଆଦିଲ୍ଲୀ ସମ୍ମିଳନୀରେ ୟୁଏସଏ, ୟୁଏଇ, କାତାର, ଓମାନ, ବାହାରିନ୍‌, ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲୁକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଛି । ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‌, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଓ ବିପଣନ ଏବଂ ଲଜିଷ୍ଟିକ୍‌ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ ବୋଲି ଜଣାପଡିଛି । କୋଭିଡ୍‌ ସମୟରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହୋଇନଥିଲେ ମଧ୍ୟ ରାଜ୍ୟକୁ ୧ଲକ୍ଷ ୨୫ହଜାର କୋଟିର ନିବେଶ ଆସିଛି । ଏହା ଭିତରେ ୨୮୬ ପ୍ରକଳ୍ପରୁ ୧୬୪ ମଞ୍ଜୁରି ପାଇ କାମ ଆରମ୍ଭ ହେଲାଣି । ବିରୋଧୀଙ୍କ ରାଜନୀତିକୁ ଖାତିର ନକରି ରାଜ୍ୟର ବିକାଶ ପାଇଁ ଉଦ୍ୟମ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବାରୁ ବିରୋଧୀ ଚିନ୍ତାରେ ପଡ଼ିଛନ୍ତି ।

Leave A Reply

Your email address will not be published.