ଭୁବନେଶ୍ୱର, ୧୨ା୯(ଡିକେ ନ୍ୟୁଜ): ସମ୍ପ୍ରତି ମୋବାଇଲ୍ ଫୋନର ଅତ୍ୟାଧିକ ବ୍ୟବହାର ଏବଂ ତାହାର କୁପ୍ରଭାବକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ଉଦ୍ରେକ ହୋଇଛି । ପିଲାମାନଙ୍କ ଉପରେ ମୋବାଇଲ୍ ଫୋନ୍ ଯେପରି ପ୍ରଭାବ ବିସ୍ତାର କରୁଛି ତାହା ଆହୁରି ଚିନ୍ତାଜନକ । ଏପରିସ୍ଥଳେ ଛୋଟ ପିଲା ଏବଂ ଅଭିଭାବକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ ପିଲାମାନେ ଏବେ ଅଧିକ ସମୟ ମୋବାଇଲ୍ ଫୋନ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ସହିତ ବିତାଉଛନ୍ତି । ଫଳରେ ଇଣ୍ଟରନେଟ୍ରୁ ମିଳୁଥିବା ଭଲ ଓ ମନ୍ଦ ସେମାନଙ୍କ ନିକଟରେ ପହଞ୍ଚି ପାରୁଛି । ଏପରିସ୍ଥଳେ ସାଇବର ଅପରାଧ ଏବଂ ବିପଦରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ଏକ ସୁରକ୍ଷିତ ଅନଲାଇନ୍ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ବିଭାଗ ପକ୍ଷରୁ କୁହାଯାଇଛି ଯେ ବିପଜ୍ଜନକ ୱେବସାଇଟ୍ ଏବଂ ଆପ୍ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରାଇବା ଜରୁରି । ଫଳରେ ସେମାନେ ସହଜରେ ଠକାମୀ ଅବା ଅପରାଧୀଙ୍କ କବଳରେ ପଡ଼ିବେ ନାହିଁ । ସଚେତନ ରହିଲେ ସେମାନେ ନିଜର କିମ୍ବା ଅଭିଭାବକଙ୍କ ବ୍ୟକ୍ତିଗତ ଅବା ବ୍ୟାଙ୍କ ତଥ୍ୟ କାହାକୁ ଦେବେ ନାହିଁ । ସେହିପରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୱାଇଫାଇ ଠାରୁ ପିଲାମାନେ ଦୂରେଇ ରହିବା ଆବଶ୍ୟକ । ବିଭିନ୍ନ ଦୃଷ୍ଟିରୁ ଏହା ବିପଜ୍ଜନକ ହୋଇପାରେ । କୌଣସି ପରିସ୍ଥିତିରେ ବି ଯେପରି ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା କାହା ସହିତ ସେୟାର ନ କରନ୍ତି ତାହା ପିଲାମାନଙ୍କୁ ଅବଗତ କରାଇବା ଜରୁରି । ଆଉ ଜରୁରି କାର୍ଯ୍ୟ ହେଉଛି ବିଭିନ୍ନ ପ୍ରକାର ପାସ୍ୱାର୍ଡ ସୁରକ୍ଷିତ ରଖିବା । ପାସୱାର୍ଡ ଇଣ୍ଟରନେଟରେ ସେୟାର କରିବା ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରାଯାଉଛି । ତେଣୁ ଏଥିରୁ ଦୂରେଇ ରହିବା ଉଭୟ ପିଲା ଏବଂ ଅଭିଭାବକଙ୍କ ପାଇଁ ସୁରକ୍ଷିତ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କୋଭିଡ୍ ମହାମାରୀ ପରେ ପିଲାମାନଙ୍କ ମଧ୍ୟରେ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟବହାର ବହୁତ ବଢ଼ିଯାଇଛି । ଏବେ ଅନଲାଇନ୍ କ୍ଲାସ୍ ବନ୍ଦ ହୋଇ ଶ୍ରେଣୀ ଗୃହରେ ପାଠପଢ଼ା ଆରମ୍ଭ ହେଲାଣି । କିନ୍ତୁ ମହାମାରୀ ସମୟରେ ଇଣ୍ଟରନେଟ୍ ବ୍ୟବହାରରେ ବିରାମ ଲାଗିପାରି ନାହିଁ । ମୋବାଇଲ୍ ଫୋନ୍, ଟ୍ୟାବ୍, କମ୍ପ୍ୟୁଟର୍ ପିଲାମାନଙ୍କ ଜୀବନର ସହଚର ହେଲାଣି । ଯଦିଓ ସେମାନେ ଏଥିରୁ ଶିକ୍ଷାଲାଭ କରୁଛନ୍ତି ତଥାପି କୁପଥରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଅଭିଭାବକ ସବୁବେଳେ ପିଲାମାନଙ୍କ ଉପରେ ନଜର ରଖିବା ସମ୍ଭବ ନୁହେଁ । ତେଣୁ ସଚେତନତା ଦ୍ୱାରା ଇଣ୍ଟରନେଟର ବିପଦ ବିରୋଧରେ ଜାଗରଣ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି ।