ନିୟନ୍ତ୍ରଣ ବାହାରେ ଅତ୍ୟାବଶ୍ୟକ ସାମଗ୍ରୀ ଦର, ଦରମରା କଲାଣି ଦରଦାମ୍‌

0 62

ନୂଆଦିଲ୍ଲୀ, ୧୩ା୯: ଦିନକୁ ଦିନ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ବିଶେଷକରି ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ଦରବୃଦ୍ଧିରେ ଅଣନିଶ୍ୱାସୀ ହୋଇପଡ଼ିଲେଣି । ଘରର ନିତିଦିନିଆ ଖର୍ଚ୍ଚ ତୁଲାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଲାଣି । ବିଶେଷକରି ହାଣ୍ଡିଶାଳ ଉପରେ ଚଡ଼କ ପକାଇଛି ଦରବୃଦ୍ଧି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌, ବିଦ୍ୟୁତ୍‌ ଆଉ ଟେଲିକମ୍‌ ବିଲ୍‌ ମହଙ୍ଗା ହେବା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ । ଏଭଳି ସମୟରେ ଅଗଷ୍ଟ ମାସରେ ପୁଣି ଥରେ ଖୁଚୁରା ମୁଦ୍ରାସ୍ଫୀତି ୭%କୁ ବୃଦ୍ଧି ପାଇ ମହଙ୍ଗାମାଡ଼କୁ ଆହୁରି ତୀବ୍ରତର କରିଛି । ବିଶେଷ କରି ଡାଲି, ·ଉଳ, ଗହମ ଏବଂ ପନିପରିବା ଭଳି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ଉର୍ଦ୍ଧ୍ୱଗାମୀ ହୋଇଛି । କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟଣ ମନ୍ତ୍ରାଳୟ ପକ୍ଷରୁ ସୋମବାର ପ୍ରକାଶିତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ଏହା ଜଣାଯାଇଛି । ଗତ ଜୁନ୍‌ ମାସରେ ସିପିଆଇ ୧୭୨.୬୦ ପଏଣ୍ଟ ଥିବା ବେଳେ ଜୁଲାଇରେ ଏହା ବୃଦ୍ଧି ପାଇ ୧୭୩.୪୦ ପଏଣ୍ଟରେ ପହଞ୍ଚିଛି । କ୍ରମାଗତ ଭାବେ ତିନିମାସ ଧରି ହ୍ରାସ ପରେ ପୁନର୍ବାର ବଢ଼ିବା ଖୁଚୁରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଚଳାଇଥିବା ପ୍ରୟାସକୁ ବଡ଼ ଝଟ୍‌କା ଲାଗିଥିବା କୁହାଯାଉଛି । ଏସବୁକୁ ବି·ର ନେଲେ ୨୦୨୩ ଯାଏ ଦରଦାମ୍‌ ହ୍ରାସ ଘଟିବା ସମ୍ଭାବନା କ୍ଷୀଣ ବୋଲି ଏବେଠୁ ଜଳଜଳ ଦିଶୁଛି, ଯାହା ଆଗାମୀ ଦିନରେ ସାଧାରଣ ଖାଉଟିଙ୍କ ଦୈନନ୍ଦିନ ଜୀବନକୁ ବିପର୍ଯ୍ୟସ୍ତ କରିପକାଇବ । ତିନି ମାସ ଧରି ହ୍ରାସ ପରେ ଅଗଷ୍ଟରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୭%କୁ ବୃଦ୍ଧି ପାଇଛି, ଯାହାକି ଜୁଲାଇରେ ୬.୭% ରହିଥିଲା । ଏହା ଏକ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୨୧ ଅଗଷ୍ଟରେ ୫.୩୦% ରହିଥିଲା । ଖାଦ୍ୟ ସାମଗ୍ରୀର ମୂଲ୍ୟ ବିଶେଷ କରି ଡାଲି, ·ଉଳ, ଗହମ ଏବଂ ପନିପରିବା ମୂଲ୍ୟ ବୃଦ୍ଧି ହେତୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଏଥର ରେକର୍ଡ ଗରମ ହେତୁ ଗହମ, ·ଉଳ ଏବଂ ଡାଲି ଉତ୍ପାଦନ ପ୍ରଭାବିତ ହୋଇଛି । ଫଳରେ ଏହିସବୁ ସାମଗ୍ରୀ ଦର ବୃଦ୍ଧି ପାଇଛି । ଇତିମଧ୍ୟରେ ଖୁଚୁରା ବଜାରରେ ·ଉଳ କିଲୋ ପିଛା ୩ ମାସ ମଧ୍ୟରେ ୩୦ରୁ ୪୦ ଟଙ୍କା ଟପିଯାଇଥିବା ବେଳେ ଅଟା କିଲୋ ୪୫ ଟଙ୍କା ଉପରେ ପହଞ୍ଚିଛି । ସେହିପରି ଉପରୋକ୍ତ ସମୟ ମଧ୍ୟରେ ଖୁଚୁରା ବଜାରରେ ଡାଲି ମୂଲ୍ୟ କିଲୋ ପିଛା ୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୧୫ ଟଙ୍କାରେ ପହଞ୍ଚିଛି । ଖାଦ୍ୟ ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ୭.୬୨%ରୁ ଜୁଲାଇରେ ୬.୬୯%କୁ ବୃଦ୍ଧି ପାଇଛି । ଜୁନ୍‌ ମାସରେ ଏହା ୭.୭୫% ରହିଥିଲା । ମେ’ ମାସରେ ଏହା ୭.୯୭% ଏବଂ ଏପ୍ରିଲରେ ୮.୩୮% ଥିଲା । କ୍ରମାଗତ ୮ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସର୍ବୋଚ୍ଚ ସୀମା ୬% ଉପରେ ରହିଆସିଛି । ଚଳିତବର୍ଷ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୧%, ଫେବୃଆରୀରେ ୬.୦୭%, ମାର୍ଚ୍ଚରେ ୬.୯୫%, ଏପ୍ରିଲରେ ୭.୭୯%, ମେ’ରେ ୭.୦୪% ଏବଂ ଜୁନରେ ୭.୦୧% ରେକର୍ଡ କରାଯାଇଛି । ଏସବୁବାଦ୍‌ ବର୍ତ୍ତମାନ ସମୟରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦରରେ ଏହି ୩ ମାସ ମଧ୍ୟରେ ୩୦% ହ୍ରାସ ଘଟି ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଛି । ଏହା ସତ୍ତେ୍ୱ ମୁଦ୍ରାସ୍ଫୀତି କମିବାର ନାମ ଧରୁନାହିଁ । କାରଣ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ସେହି ଅନୁପାତରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଓ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ କୌଣସି ହ୍ରାସ ଘଟୁନାହିଁ, ଯାହାର ଖୁଚୁରା ମୁଦ୍ରାସ୍ଫୀତି କ୍ଷେତ୍ରରେ ଏକ ବଡ଼ ଭୂମିକା ରହିଛି । କ୍ରମାଗତ ଭାବେ ୩୫ ମାସ ପାଇଁ ସିପିଆଇଭିତ୍ତିକ ମୁଦ୍ରାସ୍ଫୀତି ବର୍ତ୍ତମାନ ଆରବିଆଇର ମଧ୍ୟମ ମିଆଦ ଲକ୍ଷ୍ୟଠାରୁ ୪ ପ୍ରତିଶତ ଏବଂ କ୍ରମାଗତ ୮ ମାସ ପାଇଁ ସହନଶୀଳତା ସୀମା ୨-୬ ପ୍ରତିଶତ ଉପରେ ରହିଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ଗତ ତିନିଟି ଯାକ ମୁଦ୍ରା ନୀତି ସମୀକ୍ଷା ସମୟରେ ରେପୋ ହାରକୁ ୧.୪୦ ପ୍ରତିଶତ ବୃଦ୍ଧି କରିଛି । ହେଲେ ଏବେ ଏସବୁ ପ୍ରୟାସ ଫେଲ୍‌ ମାରିଥିବା ପ୍ରମାଣିତ ହୋଇଛି । କାରଣ ଆରବିଆଇର ଉଦ୍ୟମକୁ ଚକିତ କରି ଅଗଷ୍ଟରେ ସିପିଆଇ ୭ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଦେଶରେ ଅନିୟମିତ ମୌସୁମୀ ବର୍ଷା ଯୋଗୁ ଆଗାମୀ ଦିନରେ ବ୍ୟାପକ ଫସଲହାନୀର ସଙ୍କେତ ଦେଉଛି । ଯଦି ଏହା ହୁଏ, ତେବେ ପ୍ରତିକୂଳ ଜଳବାୟୁ ଯୋଗୁଁ ଆସନ୍ତା ମାସଗୁଡିକରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଆହୁରି ବୃଦ୍ଧି ଘଟିବାର ଆଶଙ୍କା ବଢ଼ିଯାଇଛି । ଅଶୋଧିତ ତୈଳ, ଦ୍ରବ୍ୟ ମୂଲ୍ୟ, ଉତ୍ପାଦନ ଖର୍ଚ୍ଚ ବ୍ୟତୀତ ଅନ୍ୟାନ୍ୟ ଅନେକ ଜିନିଷ ରହିଛି ଯାହା ଆମ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରାୟ ୨୯୯ ଟି ସାମଗ୍ରୀ ରହିଛି, ଯାହାର ମୂଲ୍ୟ ଆଧାରରେ ଖୁଚୁରା ମୁଦ୍ରାସ୍ଫୀତି ହାର ସ୍ଥିର ହୋଇଥାଏ । ତେଣୁ ଯଥାଶୀଘ୍ର ଏହିସବୁ ସାମଗ୍ରୀର ବଜାର ମୂଲ୍ୟରେ ହ୍ରାସ ନ ଘଟିଲେ ଖୁଚୁରା ମୁଦ୍ରାସ୍ଫୀତି ରୋକିବା କାଠିକର ପାଠ ହୋଇପଡ଼ିବ ।

Leave A Reply

Your email address will not be published.