ରାଜଧାନୀରେ ବଢ଼ୁଛି ମଦୁଆଙ୍କ ଉତ୍ପାତ

0 54

ଭୁବନେଶ୍ୱର, ୧୩ା୯(ଡିକେ ନ୍ୟୁଜ): ଛକ ଛକରେ ଖଟି । ଆଉ ଖଟିରେ ମଦୁଆ କରୁଛନ୍ତି ଉତ୍ପାତ । ପାର୍ବଣ ଆସୁଥିବାରୁ ଅଶାନ୍ତ ହୋଇଗଲାଣି ରାଜଧାନୀ । ଆଗକୁ ପୂଜା ଥିବାରୁ ଏବେ ଠାରୁ ରାଜଧାନୀରେ ମାତିଲେଣି ମଦୁଆ । ସନ୍ଧ୍ୟାରୁ ରାତି ଯାଏଁ ରାଜଧାନୀରେ ଜମୁଛି ମଦର ଆସର । ମଦ ନିଶାରେ ମତୁଆଲା ହେଉଛନ୍ତି ନିଶାଡ଼ି । ରାତି ଅଧ ପର୍ଯ୍ୟନ୍ତ ବାର୍‌ ଖୋଲୁଥିବାରୁ ମଦୁଆଙ୍କୁ ସୁହାଉଛି । ରାତିରେ ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ି ଚଳାଉଛନ୍ତି । କିଏ ମଦ ପିଇ ଗାଡ଼ିକୁ ଡିଭାଇଡରରେ ପିଟିଦେଲାଣି ତ ଆଉ କିଏ ବାଇକରୁ ପଡ଼ି ଜୀବନ ହାରିଲାଣି । ରାତିରେ ଜରୁରି କାର୍ଯ୍ୟରେ ଯାଉଥିବା ଲୋକଙ୍କଠାରୁ ନିଶାସକ୍ତ ଯୁବକ ମାଡ଼ ମାରି ଲୁଟପାଟ୍‌ କଲେଣି । ଟଙ୍କା ନ ଦେବାରୁ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଥିବା ଅଭିଯୋଗ ହେଉଛି । ସେହିଭଳି ସନ୍ଧ୍ୟା ହେଲେ ଗଳିଗଳିରେ ମଦୁଆ ଆ‡ା ଜମାଉଛନ୍ତି । ରାସ୍ତାକଡ଼ଠାରୁ ଆରମ୍ଭକରି ପାର୍କ ଓ ଖେଳପଡ଼ିଆରେ ମଦ୍ୟପାନ କରୁଛନ୍ତି । ଅଧିକାଂଶ ସମୟରେ ସର୍ବସାଧାରଣରେ ମଦ ପିଇ ଗଣ୍ଡଗୋଳ କରୁଛନ୍ତି । ରାତିରେ ମଦୁଆଙ୍କ ଉତ୍ପାତ ଦେଖି ସହରବାସୀ ଅସହ୍ୟ ହୋଇପଡ଼ିଲେଣି । ସେହିପରି କିଛି ଦିନ ତଳେ ସହିଦ ନଗର ଥାନା ଅଧୀନ ଡିସିପି କାର୍ଯ୍ୟାଳୟ ସାମ୍ନାରେ ମଦ ନିଶାରେ ୨ ଜଣ ଯୁବକ ସୌମ୍ୟରଞ୍ଜନ କୁଣ୍ଡୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେହିଭଳି ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଅଭିନେତ୍ରୀ ରାତିରେ ଘରକୁ ଫେରୁଥିବା ସମୟରେ ୩ଜଣ ମଦ୍ୟପ ଗାଳିଗୁଲଜ କରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ । ଗତବର୍ଷ ମଧ୍ୟ ସମାନଧରଣର ଜଣେ ଅଭିନେତ୍ରୀଙ୍କ ଗାଡ଼ି ଉପରକୁ ମଦ ବୋତଲ ପକାଇ ଦେଇଥିଲେ କିଛି ମଦ୍ୟପ । କେବଳ ଏତିକି ଘଟଣା ନୁହେଁ ବରଂ ରାତିରେ ମଦୁଆମାନେ ରାଜଧାନୀରେ ଏକାଧିକ ଘଟଣା ଘଟାଉଛନ୍ତି । କିଛି ଦିନ ହେବ ଖଟିରେ ଚଢ଼ଉ କରି ମଦୁଆଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା । ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ମଦ୍ୟପଙ୍କ ଉପରେ କୌଣସି ପ୍ରଭାବ ପଡ଼ିପାରି ନଥିବା ଭଳି ମନେ ହେଉଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପୂଜା ସମୟରେ ମଦୁଆ ମାତିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଓ ସମ୍ବଲପୁର ପୁଲିସ ମଦୁଆଧରା ଗାଡ଼ିରେ ମଦୁଆଙ୍କୁ ଧରି ଆଣୁଛି । ଏବେ ରାଜଧାନୀରେ ସମାନ ଫର୍ମୂଲା ଲାଗୁକରିବା ଲାଗି କମିସନରେଟ୍‌ ପୋଲିସ ଯୋଜନା କରୁଛି । ଖୁବ୍‌ଶୀଘ୍ର ରାତିରେ ମଦୁଆଙ୍କୁ ଧରିବା ଏକ ମଦୁଆଧରା ଗାଡ଼ି ବୁଲାଇବାକୁ ପ୍ରସ୍ତୁତ କରାଯାଉଛି । ଏପରିକି ମଦୁଆଙ୍କୁ ଧରିବା ଲାଗି ବ୍ରେଥ୍‌ ଆନାଲାଇଜର ବ୍ୟବହାର କରାଯିବ । ଏହି ସ୍ୱତନ୍ତ୍ର ଅଭିଯାନରେ ସହରରେ ବୁଲୁଥିବା ମଦୁଆଙ୍କୁ ଧରି ଜରିମାନା ଆଦାୟ କରାଯିବ ବୋଲି କମିସନରେଟ ପୋଲିସର ଜଣେ ଅଧିକାରୀ ମତ ଦେଇଛନ୍ତି ।

Leave A Reply

Your email address will not be published.