ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଆଜି ପୁଞ୍ଜିପତିଙ୍କ ସହ ଆଲୋଚନା

0 63

ଭୁବନେଶ୍ୱର, ୧୩ା୯(ଡିକେ ନ୍ୟୁଜ): ତିନିଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ସେ ଯୋଗଦେବେ । ଦିଲ୍ଲୀ ପରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଦେଶର ଅର୍ଥନୈତିକ କ୍ୟାପିଟାଲ ମୁମ୍ବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ହେଉଛି । ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିଙ୍କୁ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ରିସୋର୍ସେସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲାଙ୍କ ଭଳି ବଡ଼ ବଡ଼ ଶିଳ୍ପପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ରାଜ୍ୟରେ କେଉଁ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କ’ଣ ସବୁ ସୁଯୋଗ ରହିଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅବଗତ କରାଇବେ । ଇନ୍‌ଭେଷ୍ଟର୍ସ ମିଟ୍‌ର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୧୫ କମ୍ପାନୀର ମୁଖ୍ୟମାନଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । କ୍ରିସିଲ ଲିଃ., ନାଲକୋ ଓ ସହଯୋଗୀ କମ୍ପାନୀ, ଥାଇସେନ୍‌କ୍ରୁପ୍‌ ଇଣ୍ଡିଆ ଲିଃ, ଆଇଏମ୍‌ପି ପାୱାର ଲିଃ., ରୋଚେନ୍‌ ସେପାରେସନ୍‌ ସିଷ୍ଟମ ପ୍ରା.ଲିଃ. ପ୍ରମୁଖ କମ୍ପାନୀ ପ୍ରତିନିଧିଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ମୁମ୍ବାଇ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୨୮ ତାରିଖରୁ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବା ସହ ସେମାନଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ ପାଇଁ ଆମନ୍ତ୍ରଣ କରିବେ । ବେଙ୍ଗାଲୁରୁରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବେ ବୋଲି ଜଣାପଡ଼ିଛି । ବିଶେଷ କରି ଆଇଟି ଶିଳ୍ପ ଏବଂ ଅଟୋ ମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, ସେ ନେଇ ଆଲୋଚନା କରିବେ । ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର (ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଅଣ୍ଡ ମେଟାଲ ଡାଉନ୍‌ଷ୍ଟ୍ରିମ୍‌, ଲଜିଷ୍ଟିକ୍‌, ପ୍ଲାଷ୍ଟିକ, କେମିକାଲ) କ୍ଷେତ୍ରରେ ନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଶାସନର ଶୀର୍ଷ ଅଧିକାରୀମାନେ ମଧ୍ୟ ବେଙ୍ଗାଲୁରୁ ଗସ୍ତ କରିବେ ।

Leave A Reply

Your email address will not be published.