ଅକ୍ଟୋବରରେ ଅଧିକ ବର୍ଷା: ବିଳମ୍ବରେ ଆସିବ ଶୀତ

0 65

ଭୁବନେଶ୍ୱର, ୧୫ା୯(ଡିକେ ନ୍ୟୁଜ): ଆସନ୍ତା ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ସମସ୍ତ ଉପକୂଳ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ ଏହା ଦ୍ୱାରା ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ ଶୀତ ଆସିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଆସନ୍ତା ୩ ମାସ ପର୍ଯ୍ୟନ୍ତ ରହିବାକୁ ଥିବା ପାଣିପାଗ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ୫୦ ପ୍ରତିଶତ ସମ୍ଭାବନା ରହିଛି । ସେହିପରି ଉପକୂଳ ସଂଲଗ୍ନ ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବ । ଏହି ବର୍ଷା ଯୋଗୁଁ ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି । ତେଣୁ ଚଳିତବର୍ଷ ରାଜ୍ୟକୁ ବିଳମ୍ବରେ ଶୀତ ଆସିବ ବୋଲି ଆକଳନ କରାଯାଇଛି । ଡିସେମ୍ବର ମାସରେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ହୋଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ବର୍ଷା କମିବା ଯୋଗୁଁ ତାପମାତ୍ରାରେ ବୃଦ୍ଧି ହେବ ଓ ଏଥିପାଇଁ ଆସନ୍ତା ୨ ଦିନରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ଆସନ୍ତା ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୁତ ହୋଇ ଏହା ଲଘୁ·ପର ରୂପ ନେବ ବୋଲି ଜଣାପଡ଼ିଛି । ତେଣୁ ୧୮ରୁ ଲଘୁ·ପ ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିବ ବୋଲି ଆକଳନ କରାଯାଇଛି । ବିଶେଷ କରି ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.