ନାମ୍ବିଆରୁ ଭାରତ ଆସିବେ ୮ ଚିତା

0 78

ନୂଆଦିଲ୍ଲୀ, ୧୫ା୯: ଭାରତ ମାଟିରୁ ପ୍ରାୟ ସାତ ଦଶନ୍ଧି ପୂର୍ବେ ଲୁପ୍ତ ହୋଇ ସାରିଥିବା ଚିତାବାଘ ପୁଣି ଥରେ ଦେଶରେ ଦେଖିବାକୁ ମିଳିବ । ଭାରତ ଏବଂ ନାମିବିଆ ସରକାରଙ୍କ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ, ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଏହି ଚିତା ଭାରତରେ ପହଞ୍ଚିବ । ଭାରତକୁ ଆସିବ ବିରଳ ପ୍ରଜାତିର ଚିତାବାଘ । ଏ ନେଇ ସ୍ୱତନ୍ତ୍ର ବି୭୪୭ ଜୁମ୍ବୋ ଜେଟ୍‌ ନାମ୍ବିଆର ରାଜଧାନୀରେ ପହଞ୍ଚି ଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ସେପ୍ଟେମ୍ବର ୧୬ରୁ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରୁ ଚିତା ନାମିବିଆରୁ ବାହାରିବେ ଏବଂ ସେପ୍ଟେମ୍ବର ୧୭ରେ ଜୟପୁରରେ ପହଞ୍ଚିବେ । ସେହିଦିନ ଏକ ହେଲିକପ୍ଟର ଜରିଆରେ ଏହି ଚିତାମାନଙ୍କୁ ମଧ୍ୟ ପ୍ରଦେଶର ଶ୍ୟୋପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନ ଅଣାଯିବ । ଏଥିପାଇଁ କୁନୋ ନ୍ୟାସନାଲ ପାର୍କରେ ଏକ ହେଲିପ୍ୟାଡ୍‌ ତିଆରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିତାଗୁଡିକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ଦଳରେ ମୋଟ୍‌ ଆଠଟି ଚିତା ଆସିବେ, ଯେଉଁଥିରେ ପାଞ୍ଚ ମାଦା ଏବଂ ତିନି ନର ସାମିଲ୍‌ । ଚିତାଙ୍କୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଏକ ସ୍ୱତନ୍ତ୍ର ବିମାନ ନାମିବିଆର ରାଜଧାନୀରେ ପହଞ୍ଚି ସାରିଛି । ବିମାନରେ ଚିଡିଆଖାନାର ବ୍ୟବସ୍ଥା କରାଯାଇଛି । ଚିତାଙ୍କ ଅନୁକୂଳ ମାହୋଲ ପ୍ରସ୍ତୁତ କରାଯାଇଛି । ଏପରିକି ବିମାନରେ ଚିତାର ଚିତ୍ର ମଧ୍ୟ ଅଙ୍କା ଯାଇଛି ଯାହା ବିମାନକୁ ବାଘର ରୂପ ଦେଉଛି । ବିମାନଟି ଏକ ଅଲଟ୍ରା ଲଙ୍ଗ ରେଞ୍ଜର ଜେଟ୍‌, ଯାହା ଅନବରତ ୧୬ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରିବାକୁ ସକ୍ଷମ । ଏହା ବିନା ଇନ୍ଧନଭରାରେ ନାମିବିଆରୁ ସିଧାସଳଖ ଭାରତ ଉଡାଣ ଭରିପାରିବ । ଯାହା ଚିତାଙ୍କ ପାଇଁ ବେଶ ଉପଯୋଗୀ ହେବ । ଭାରତୀୟ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଚିତାକୁ ନିଜର ପୂରା ବିମାନ ଯାତ୍ରା ସମୟରେ ଖାଲି ପେଟରେ ରହିବାକୁ ପଡିବ । ଚିତା ଆସିବା ପରେ ସେମାନଙ୍କୁ ଏକ ବାଡା ଭିତରେ ୩୦ ଦିନ ଯାଏଁ କ୍ୱାରେଣ୍ଟାଇନରେ ରଖାଯିବ । ଏହି ସମୟରେ ସେମାନଙ୍କର ବ୍ୟବହାର, ସ୍ୱାସ୍ଥ୍ୟ ଏବଂ ଅନୁକୂଳତା ଉପରେ ସଂପୂର୍ଣ୍ଣ ନଜର ରଖାଯିବ । ଏହା ପରଖାଯିବ ଯେ, ଚିତା ଭାରତୀୟ ପରିବେଶରେ ନିଜକୁ କେମିତି ଖାପ ଖୁଆଉଛି । ଏହାର ଗୋଟିଏ ମାସ ପରେ ଚିତାଗୁଡିକୁ ଏକ ବର୍ଗ କିଲୋମିଟର ବଡ ବାଡା ଭିତରେ ଛଡାଯିବ । ପୁଣି ଏହାର ମାସେ କିମ୍ବା ଦେଢ ମାସ ପରେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ କୁନା ନ୍ୟାସନାଲ ପାର୍କରେ ଖୋଲାରେ ବୁଲିବାକୁ ଛାଡି ଦିଆଯିବ ବୋଲି ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.