ଦିଲ୍ଲୀରେ ରିୟରସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

0 50

ନୂଆଦିଲ୍ଲୀ : ଏବେ କାରର ପଛ ସିଟ୍‌ରେ ବସିଲେବି ସିଟ୍‌ ବେଲ୍ଟ ପିନ୍ଧି ବସିବାକୁ ହେବ, ନଚେତ ଟ୍ରାଫିକ ଫାଇନର ସମ୍ମୁଖୀନ ହେବାକୁ ହେବ । ଦିଲ୍ଲୀ ଟ୍ରାଫିକ ପୋଲିସ ସଡ଼କ ସୁରକ୍ଷା ପ୍ରୟାସକୁ ଦ୍ରୁତ କରିବା ସହ ଅଭିଯାନ ଆରମ୍ଭ କରିଛି । ଏଥିରେ କାର ପଛସିଟ୍‌ରେ ବସିଲେ ମଧ୍ୟ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମନା ହୋଇପାରେ । ବିଶେଷ ଅଭିଯାନର ପ୍ରଥମ ଦିନ ଦିଲ୍ଲୀର କତ୍ତଟ ପ୍ଲେସ୍‌ ନିକଟସ୍ଥ ବାରାଖମ୍ବା ରୋଡରେ ଚେକିଙ୍ଗ କରାଯାଇଥିଲା । ମୋଟର ବାହାନ ଅଧିନିୟମ ଧାରା ୧୯୪-ବିରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିବା ଯାଞ୍ଚରେ ମୋଟ ୧୭ଟି ଚାଲାଣ କଟିଥିବା ବେଳେ ପ୍ରତ୍େୟକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମନା କରାଯାଇଥିବା ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଟାଟା ସନ୍ସଙ୍କ ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ପାଲଘର ଦୁର୍ଘଟଣାରେ ମୃତ୍ୟୁ ପରେ ଦିଲ୍ଲୀରେ ପୋଲିସ ଏହି ଅଭିଯାନ ଆରମ୍ଭ କରିଛି । ଦିଲ୍ଲୀ ପୋଲିସ ଗତ ସପ୍ତାହରୁ ଟ୍ୱିଟର ମାଧ୍ୟମରେ ଲୋକଙ୍କୁ ସିଟ୍‌ ବେଲ୍ଟ ପିନ୍ଧିବା ଓ ଦ୍ରୁତ ବେଗରେ ଗାଡ଼ି ନ ଚଳାଇବାକୁ ନିବେଦନ କରିଥିଲା । ଗତବର୍ଷ ଅର୍ଥାତ ୨୦୨୧ ମସିହାରେ ଚାଳକ ଓ ଯାତ୍ରୀଙ୍କ ଅବହେଳା ଯୋଗୁ ହୋଇଥିବା ଦୁର୍ଘଟଣାରେ ୧ହଜାର ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଦିଲ୍ଲୀ ଟ୍ରାଫିକ ପୋଲିସ ଗତବର୍ଷ କାରରେ ସିଟ୍‌ ବେଲ୍ଟ ନ ପିନ୍ଧି ବାହନ ଚଳାଇବା,ଅନୁଚିତ ପାର୍କିଂ, ଟ୍ରାଫିକ ସିଗ୍ନାଲ
ଅବମାନନା ଓ ଦ୍ରୁତଗତିରେ ବାହନ ଚଳାଇବା ଲାଗି ୧.୨ କୋଟି ଟଙ୍କାର ଜରିମନା ଆଦାୟ କରିଥିଲା ।

Leave A Reply

Your email address will not be published.