ଅକ୍ଟୋବର ୨୩ରେ ଭାରତ-ପାକ୍‌ ମୁକାବିଲା

0 48

ଦୁବାଇ, ୧୫ା୯: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି । ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଖେଳାଯିବ । ଏହି ମ୍ୟାଚରେ ଦୁଇ ପାରମ୍ପରିକ ପ୍ରତିଦ୍ୱ-ନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ ।ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି । ମ୍ୟାଚ୍‌ ପାଇଁ ମାସେରୁ ଅଧିକ ସମୟ ବାକି ଥିବାବେଳେ ସବୁ ଟିକେଟ ବିକ୍ରି ହୋଇଯିବା ଫ୍ୟାନ୍ସଙ୍କ ଉତ୍ସାହକୁ ଦର୍ଶାଉଛି । ଆଇସିସି କହିଛି ଯେ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର କିଛି ମିନିଟ ମଧ୍ୟରେ ଶେଷ ହୋଇଯାଇଛି । ଫ୍ୟାନ୍ସଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଅତିରିକ୍‌ତ ଷ୍ଟାଣ୍ଡିଂ ରୁମ ଟିକେଟ ବ୍ୟବସ୍ଥା କରାଯାଇଥିଲେ । ସେଗୁଡ଼ିକ ମଧ୍ୟ ମାତ୍ର କିଛି ମିନିଟ ମଧ୍ୟରେ ସରି ଯାଇଛି । ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ଏଥିପାଇଁ ୫ ଲକ୍ଷ ଟିକେଟ ବିକ୍ରି ସରିଲାଣି । ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ ସମସ୍ତ ବୟସ ଓ ବର୍ଗର ଲୋକମାନଙ୍କୁ ସ୍ୱାଗତ କରୁଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାସେରୁ ଅଧିକ ସମୟ ଥିଲେ ମଧ୍ୟ ଏବେଠାରୁ ୫ ଲକ୍ଷ ଲୋକ ମ୍ୟାଚ୍‌ ଦେଖିବାକୁ ଟିକେଟ ବୁକ କରି ସାରିଥିବା ଆଇସିସି କହିଛି । ଆଇସିସି ଆହୁରି କହିଛି ଯେ ଏଯାଏ ୮୨ଟି ଦେଶର କ୍ରିକେଟ ପ୍ରେମୀମାନେ ଟିକେଟ କିଣି ସାରିଲେଣି । ସେମାନେ ୧୬ଟି ଅନ୍ତର୍ଜାତୀୟ ଟିମର ଶ୍ରେଷ୍ଠ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ । ୨୦୨୦ ମହିଳା ବିଶ୍ୱକପ ପରେ ପୂର୍ଣ୍ଣ କ୍ଷମତାର ଦର୍ଶକଙ୍କ ସହ ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ ଆୟୋଜନ ହେବ । ମହିଳା ବିଶ୍ୱକପ ଫାଇନାଲରେ ୮୬,୧୭୪ ଜଣ ଦର୍ଶକ ମ୍ୟାଚକୁ ଷ୍ଟାଡିୟମରେ ଉପଭୋଗ କରିଥିଲେ । ଭାରତ- ପାକିସ୍ତାନ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅକ୍ଟୋବର ୨୩ରେ ମ୍ୟାଚ ଖେଳିବେ । ଏହି ମ୍ୟାଚ୍‌ ପାଇଁ ସବୁ ଟିକେଟ ବିକ୍ରି ଶେଷ ହୋଇଯାଇଛି । ବିଶ୍ୱକପ ସମୟରେ ଗୋଟିଏ ଅଫିସିଆଲ ରି-ସେଲ ପ୍ଲାଟଫର୍ମ ଖୋଲାଯିବ । ଏଠାରେ ଫ୍ୟାନମାନେ ଟିକେଟ ଏକ୍ସଚେଞ୍ଜ କରିପାରିବେ । ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜକ ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୨ରେ ଅନୁଷ୍ଠିତ ହେବ । ଏଠାରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଏହି ମ୍ୟାଚର ଟିକେଟ ମଧ୍ୟ ଶୀଘ୍ର ଶୀଘ୍ର ବିକ୍ରି ହେବାରେ ଲାଗିଛି । ଏବେ ମାତ୍ର ଆଉ କିଛି ସଂଖ୍ୟାରେ ଟିକେଟ ରହିଛି ବୋଲି ଆଇସିସି କହିଛି । ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଗ୍ରୁପ ପର୍ଯ୍ୟାୟରେ ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇଥିଲା । ହେଲେ ପାକିସ୍ତାନ ସୁପର ୪ରେ ଭାରତକୁ ହରାଇ ଏହାର ମଧୁର ପ୍ରତିଶୋଧ ନେଇଥିଲା । ଏବେ ପୁଣିଥରେ ଦୁଇ ଦେଶ ଅକ୍ଟୋବର ୨୩ ବିଶ୍ୱକପରେ ମୁହାଁମୁହିଁ ହେବେ ।

Leave A Reply

Your email address will not be published.