ୟୁକ୍ରେନ୍‌ ଯୁଦ୍ଧ ଭିତରେ ମୋଦୀ-ପୁଟିନ୍‌ ଭେଟଘାଟ୍‌ ଆଜିର ଯୁଗ ଯୁଦ୍ଧର ନୁହେଁ: ମୋଦୀ

0 68

ନୂଆଦିଲ୍ଲୀ, ୧୬ା୯: ୟୁକ୍ରେନ୍‌ ଯୁଦ୍ଧ ଭିତରେ ମୋଦୀ-ପୁଟିନଙ୍କ ଆଲୋଚନାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା । ଉଜବେକିସ୍ତାନ ଏସ୍‌ସିଓ ସମ୍ମିଳନୀ ଅବସରରେ ଆଲୋଚନା କରିଛନ୍ତି ଏହି ଦୁଇ ଶୀର୍ଷ ନେତା । ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବା ସହିତ ଋଷ-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠିଛି । ଆସନ୍ତାବର୍ଷ ଏସ୍‌ସିଓ ସମ୍ମିଳନୀ ଆୟୋଜନ କରିବ ଭାରତ । ଏଥିପାଇଁ ଭାରତକୁ ଚୀନ୍‌ ସମର୍ଥନ ମଧ୍ୟ ଜଣାଇଛି । ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌(ଏସ୍‌ସିଓ) ସମ୍ମିଳନୀରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଜବେକିସ୍ତାନ ସମରକନ୍ଦରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରସଙ୍ଗ ସହିତ ଋଷର ଖାଦ୍ୟ ଓ ସାର ଯୋଗାଣ ନେଇ ଏହି ଦୁଇନେତା କଥା ହୋଇଛନ୍ତି । ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ-ରୁଷ୍‌ ମଧ୍ୟରେ ସଂପର୍କ କେତେ ସୁଦୃଢ଼ ତାହା ସାରା ଦୁନିଆ ଜାଣିଛି । ଆଗାମୀ ଦିନରେ ଦୁଇ ରାଷ୍ଟ୍ରର ସଂପର୍କ ଅଧିକ ଘନିଷ୍ଠ ହେବ । ଆଜିର ଯୁଗ ଯୁଦ୍ଧର ନୁହେଁ । ଡେମୋକ୍ରାସି ଓ ଡିପ୍ଲୋମାସି ଉପରେ ମୋଦୀ ଗୁରୁତ୍ୱ ଦେଇଥିଲେ । ପୁଟିନଙ୍କୁ ମୋଦୀ କହିଥିଲେ ଯେ, ଆପଣଙ୍କର-ମୋର ରାଜନୈତିକ ଜୀବନ ପ୍ରାୟ ଏକା ସମୟରେ ଆରମ୍ଭ ହୋଇଥିଲା । ସେହିପରି ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଯୁଦ୍ଧ କାଳରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ସହଯୋଗ କରିଥିବାରୁ ମୋଦି ଧନ୍ୟବାଦ ଦେଇଥିଲେ । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛି । ୟୁକ୍ରେନ ଯୁଦ୍ଧ ଶୀଘ୍ର ଶେଷ ହେଉ ବୋଲି ରୁଷ୍‌ ରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି ଯେ, ଆମେ ହୁଁଛୁ ଏସବୁ ସରୁ । କିନ୍ତୁ ୟୁକ୍ରେନ ସହଯୋଗ କରୁନଥିବା ପୁଟିନ୍‌ କହିଛନ୍ତି ।ୟୁକ୍ରେନ୍‌ ସହ ଯାହା ·ଲିଛି ଆମେ ଚାହୁଁଛୁ ଏସବୁ ଶୀଘ୍ର ଶେଷ ହେଉ । କିନ୍ତୁ ଯୁଦ୍ଧ ସାରିବାକୁ ୟୁକ୍ରେନ ସହଯୋଗ କରୁନି ବୋଲି ପୁଟିନ୍‌ କହିଛନ୍ତି । ଉଜବେକିସ୍ତାନର ରାଷ୍ଟ୍ରପତି ସୌକତ ମଜିୟୋଏଭ୍‌ଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଯୋଗ ଦେବାକୁ ଉଜବେକିସ୍ତାନ ଗସ୍ତ କରିଛନ୍ତି । ୟୁକ୍ରେନ୍‌ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମୋଦି- ପୁଟିନ୍‌ଙ୍କ ସାକ୍ଷାତ ହୋଇଛି । ଅନ୍ୟପଟେ ମୋଦି ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ନେଇ ବେଜିଂ ଏପର୍ଯ୍ୟନ୍ତ ନିରବ ରହିଛି । ଏସ୍‌ସିଓ ସମ୍ମିଳନୀରେ ଭାରତ, ଚୀନ୍‌, ରୁଷିଆ, ପାକିସ୍ତାନ ଯୋଗ ଦେଇଛନ୍ତି । ମଧ୍ୟଏସୀୟ ରାଷ୍ଟ୍ର ଭାବେ କାଜାଖସ୍ତାନ, କିରଗିଜସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ଯୋଗ ଦେଇଛନ୍ତି । ଏସ୍‌ସିଓ ହେଉଛି ସବୁଠୁ ବଡ଼ ଆଞ୍ଚଳିକ ସଂଗଠନ । ୟୁରୋପ ଓ ଏସିଆର ପ୍ରାୟ ୬୦ ପ୍ରତିଶତ ଦେଶ ଏଥିରେ ଭାଗ ନେଉଛନ୍ତି । ଏସସିଓ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ ଯେ, ଆମେ ଭାରତକୁ ଏକ ଉତ୍ପାଦନ କେନ୍ଦ୍ର କରିବା ଲକ୍ଷ୍ୟ ନେଇ ପ୍ରଗତିପଥରେ ଆଗେଇ ଚାଲିଛୁ । ଭାରତର ଯୁବ ଏବଂ ପ୍ରତିଭାଶାଳୀ କାର୍ଯ୍ୟବଳ ଆମକୁ ସ୍ୱାଭାବିକ ରୂପରେ ପ୍ରତିଯୋଗିତା ମୂଳକ କରିବାରେ ଲାଗିଛି । ଚଳିତବର୍ଷ ଭାରତର ଅର୍ଥ ବ୍ୟବସ୍ଥାରେ ୭.୫ ପ୍ରତିଶତ ଅଭିବୃଦ୍ଧି ହେବାର ଆଶା ରହିଛି, ଯାହା ବିଶ୍ୱର ବୃହତ୍‌ ଅର୍ଥନୀତିଗୁଡ଼ିକ ଭିତରେ ସବୁଠାରୁ ଅଧିକ ହେବ । ଭାରତକୁ ଉତ୍ପାଦନ ହବ୍‌ରେ ପରିଣତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ବର୍ତ୍ତମାନ ବିଶ୍ୱ କୋଭିଡ୍‌ ମହାମାରୀ କବଳରୁ ମୁକ୍ତ ହୋଇଛି । ବିଭିନ୍ନ କାରଣ ଓ ୟୁକ୍ରେନ୍‌ ସଂକଟ ପାଇଁ ବିଶ୍ୱରେ ଖାଦ୍ୟ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି । ଭାରତ ମାନବକେନ୍ଦ୍ରିକ ବିକାଶ ମଡେଲ ଉପରେ ଗୁରୁତ୍ୱାରୋପ କରୁଛି ବୋଲି ମୋଦୀ କହିଛନ୍ତି । ଆସନ୍ତାବର୍ଷ ଏସ୍‌ସିଓ ସମ୍ମିଳନୀ ଭାରତରେ ହେବ । ଯାହାକୁ ସମର୍ଥନ ଜଣାଇଛନ୍ତି ଚୀନ୍‌ ରାଷ୍ଟ୍ରପତି ଜିନ୍‌ ପିଙ୍ଗ ।

Leave A Reply

Your email address will not be published.