ଦାନା ବାନ୍ଧୁଛି ଲଘୁଚାପ: ୨୨ ଯାଏ ଭିଜିବ ଓଡ଼ିଶା

0 70

ଭୁବନେଶ୍ୱର, ୧୮ା୯(ଡିକେ ନ୍ୟୁଜ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଗତ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି (ରବିବାର) ପୂର୍ବ-କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟଟି କ୍ରମଶଃ ଅଧିକ ଘନୀଭୂତ ହେଉଥିବା ବେଳେ ଏହାର ପ୍ରଭାବରେ ୨୦ ତାରିଖ (ମଙ୍ଗଳବାର) ବେଳକୁ ପଶ୍ଚିମ-କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (୭ରୁ ୨୦ସେମି) ରହିଥିବା ବେଳେ ୧୯ ଏବଂ ୨୦ ତାରଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି । ପାଣିପାଗ ବିଭାଗର ବିଶ୍ଳେଷଣ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡଘଡି ମାରିବାର ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଗଜପତି, ଗଂଜାମ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ବଲାଙ୍ଗୀର ପ୍ରଭୃତି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ୧୫ଟି ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ବଜ୍ରପାତ ସହ ହାଲକା ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ଅସରାଏ ଦୁଇଅସରା ହାଲକା ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି । ସେହିପରି କଟକ ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ବିଜୁଳି, ଘଡ଼ଘଡ଼ି ସହ ଅସରାଏ ଦୁଇଅସରା ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ।

Leave A Reply

Your email address will not be published.