ଓଡ଼ିଶା ଉପକୂଳମୁହାଁ ଲଘୁଚାପ, ଫୁଲିଲା ହୀରାକୁଦ ଜଳଭଣ୍ଡାର: ନଈକୂଳିଆବାସୀ ଛାନିଆ

0 61

ଭୁବନେଶ୍ୱର, ୧୯ା୯(ଡିକେ ନ୍ୟୁଜ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଓଡିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର
ତରଫରୁ ସୂଚନା ଦିଆଯାଇଛି । ଫଳରେ ଗତକାଲିଠୁ ଲାଗି ରହିଥିବା ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ଜଣାଯାଇଛି । କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଆସନ୍ତାକାଲି ତାହା ଅଧିକ ଘନୀଭୂତ ହୋଇ ଲଘୁ·ପରେ ପରିଣତ ହେବ । ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲିଠୁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜିଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି । ଆସନ୍ତା ୩ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, କଟକ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହିସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେମି ଯାଏ ବର୍ଷା ହୋଇପାରେ । ଏଥିସହିତ ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ସେହିପରି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ତଳିଆ ଅଞ୍ଚଳ
ଜଳମଗ୍ନ ହେବା ସହିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । କୋରାପୁଟରେ ସର୍ବାଧିକ ୮୨.୩ ମିମି ବର୍ଷା ରେକର୍ଡ କରିଛି ପାଣିପାଗ କେନ୍ଦ୍ର । ଆଗକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ହୀରାକୁଦ ଡ୍ୟାମ୍‌ରୁ ୪ଟି ଗୋଟ୍‌ ଖୋଲାଯାଇଛି । ଏହି ଡ୍ୟାମ୍‌କୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୫୯ହଜାର ୨୦୩ କ୍ୟୁସେକ୍‌ ଜଳ ଏବଂ ନିଷ୍କାସିତ ହେଉଛି ୬୯ହଜାର କ୍ୟୁସେକ୍‌ ଜଳ । ମହାନଦୀ ଉପରମୁଣ୍ଡରେ ବର୍ଷା ନେଇ ପାଣିପାଗ ପୂର୍ବାନୁମାନ କରିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଖାଲି କରି ପ୍ରସ୍ତୁତ ରଖାଯାଇଛି । ଗତ କିଛି ଦିନ ତଳେ ରାଜ୍ୟର ଉପକୂଳ ଜିଲ୍ଲାବାସୀମାନେ ମଧ୍ୟମ ଧରଣର ବନ୍ୟାର ସମ୍ମୁଖୀନ ହୋଇଥିଲେ । ବ୍ୟାପକ ଫସଲହାନୀ ହେବା ସହିତ ବହୁ ଗାଁଗଣ୍ଡାରେ ପାଣି ପଶି ଅନେକ ଘର ଭାଙ୍ଗି ଦେଇଥିଲା । ଟିକିଏ ଅଣ୍ଟା ସଳଖିବା ବେଳକୁ ପୁଣି ଆଉ ଏକ ଲଘୁଚାପ ବିଶେଷକରି ଉପକୂଳବାସୀଙ୍କ ମନରେ ପୁଣି ଭୟ ସଞ୍ଚାର କରିଛି । ସେପ୍ଟେମ୍ବରରେ ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି । ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଜୁନ୍‌ ୧ରୁ ଆଜିସୁଦ୍ଧା ମୋଟ ୧୧୧୮.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହି ସମୟରେ ସ୍ୱାଭାବିକ ବର୍ଷା ପରିମାଣ ରହିଛି ୧୦୮୪.୨ ମିମି । ୫ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.