ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗ୍ରୀନ୍‌ ସିଗ୍‌ନାଲ

0 64

ପୁରୀ, ୨୦ା୯(ଡିକେ ନ୍ୟୁଜ): ସବୁ ବିବାଦର ଘଟିଲା ଅନ୍ତ । ଶେଷରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ, ଭୁବନେଶ୍ୱର ଏକାମ୍ର ପ୍ରକଳ୍ପ ଓ କୋଣାର୍କ ହେରିଟେଜ୍‌ ଏରିଆ ଡେଭଲପମେଣ୍ଟ ପ୍ଲାନ୍‌କୁ ନ୍ୟାସନାଲ ମନିମେଣ୍ଟ ଅଥରିଟି(ଏନ୍‌ଏମ୍‌ଏ)ରୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପୁନଃ ଦାଖଲ ହୋଇଥିବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଆଧାରରେ ଏହ ଅନୁମତି ମିଳିଛି । ନିଷିଦ୍ଧାଞ୍ଚଳ ଅର୍ଥାତ୍‌ ୧୦୦ ମିଟର ପରିଧି ଭିତରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ନିର୍ମାଣ ହେବ । ଏହାସହ କ୍ଲକ୍‌ ରୁମ୍‌, ସେଲଟର୍‌ ପାଭିଲିଅନ, ସେବାୟତଙ୍କ ପାଇଁ ଶୌ·ଳୟ ଓ ଇଲେକ୍ଟ୍ରିକାଲ୍‌ ରୁମ୍‌ ନିର୍ମାଣ କରାଯିବ । ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌ·ଳୟ ଓ କ୍ଲୋକ୍‌ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମ୍‌ଏ ଅନୁମତି ଦେଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନ୍‌ଏମଏ ଏନ୍‌ଓସିରେ ଉଲ୍ଲେଖ କରିଛି । ସେଲଟର ପ୍ୟାଭିଲିୟନ ଉଚ୍ଚତା କମ୍‌ କରିବାକୁ ପରାମର୍ଶ ମିଳିଛି । ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ । ମଠ ଓ ଛାଉଣୀ ମଠର ପୁନରୁଦ୍ଧାର ହେବ । ଏଥିସହିତ ଶ୍ରୀମନ୍ଦିରଠାରୁ ୧୦୧.୫୦ ମିଟର ଦୂରରେ ରଖିବାକୁ ଏନ୍‌ଏମ୍‌ଏ ଅନୁମତି ଦେଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମଧ୍ୟ ୭.୫୦ ମିଟର ଉଚ୍ଚତା ରଖିବାକୁ ପରାମର୍ଶ ଦେଇଛି । କିନ୍ତୁ ଏଥିପାଇଁ ଆଉଥରେ ଏନ୍‌ଓସି ଆବେଦନ କରିବାକୁ ସର୍ତ୍ତ ରହିଛି । ତେବେ ବର୍ଦ୍ଧିତ କିମ୍ବା ନିର୍ମାଣ କରାଯାଇପାରିବ ନାହିଁ । ସେହିପରି ଇନ୍‌ଫର୍ମେସନ, ଡୋନେସନ ସେଲ, ଫାଷ୍ଟ ଏଡ୍‌ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଓ ଏଟିଏମ୍‌ ନିର୍ମାଣ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ରେଗୁଲେଟେଡ୍‌ ଅଞ୍ଚଳରେ କରାଯିବ । ନିୟନ୍ତ୍ରିତ ଅଞ୍ଚଳ ଭିତରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ନେଇ ଏକ ରିଭାଇଜଡ୍‌ ପ୍ଲାନ୍‌ ମଗାଯାଇଛି । ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାନ୍‌କୁ ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ଆଉଏକ ସ୍ୱତନ୍ତ୍ର ପ୍ରସ୍ତାବ ଦେବାକୁ କୁହାଯାଇଛି । ଏହାଛଡ଼ା ବଡ଼ଛତା ମଠଓ ଓ ଛାଉଣି ମଠର ଉନ୍ନତିକରଣ କାର୍ଯ୍ୟ ନେଇ ପୁନଃ ଆବେଦନ ପାଇଁ କୁହାଯାଇଛି । ଭୁବନେଶ୍ୱର, ଏକାମ୍ର ପ୍ରକଳ୍ପ ନେଇ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ଏନ୍‌ଏମ୍‌ଏ । ନିଷିଦ୍ଧାଞ୍ଚଳରେ ଜନସାଧାରଣଙ୍କ ସୁବିଧା ପାଇଁ ଶୌଚାଳୟ ଆଦି ନିର୍ମାଣ କାର୍ଯ୍ୟ ଲାଗି ଖୋଳାଖୋଳି କାମ ହୋଇପାରେ । ବିନ୍ଦୁସାଗର ପର୍ଯ୍ୟନ୍ତ ପାଦଚଲା ରାସ୍ତା, ପାର୍କିଂ, ଲିଙ୍ଗରାଜ ମଲ୍ଟି ମଡ୍ୟୁଲ ହବ୍‌ କେଦାରଗୌରୀରେ ପାର୍କିଂ ପାଇଁ ଗ୍ରୀନ୍‌ ସିଗ୍‌ନାଲ ଦେଇଛି ଏନ୍‌ଏମ୍‌ଏ । ଲିଙ୍ଗରାଜ ଏଣ୍ଟ୍ରାନ୍ସ ପ୍ଲାଜା, ହେରିଟେଜ୍‌ ପାର୍କ, କେଦାରଗୌରୀ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା, ଲିଙ୍ଗରାଜ ହାଟ, ଭଞ୍ଜମଣ୍ଡପ ଆଦି କାମ ସବୁ ଏଏସ୍‌ଆଇର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ । ଅନନ୍ତ ବାସୁଦେବ ମନ୍ଦିରରେ ଥିବା ରୋଷଘରକୁ ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇପାରେ ବୋଲି ଏନ୍‌ଏମ୍‌ଏ କହିଛି । ମୁକ୍ତେଶ୍ୱର ମନ୍ଦିରରୁ ପାପନାଶିନୀ କୁଣ୍ଡ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଏକ ବିକଳ୍ପ ରାସ୍ତା ଲାଗି ପ୍ରସ୍ତାବ ଦେବାକୁ କୁହାଯାଇଛି । ସବୁ ଖୋଳାଖୋଳି କାମ ଏଏସଆଇର ତତ୍ତ୍ୱାବଧାନରେ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି କୋଣାର୍କ ହେରିଟେଜ୍‌ ଏରିଆ ଡେଭଲପମେଣ୍ଟ ପ୍ଲାନ୍‌କୁ ମଧ୍ୟ ଏନ୍‌ଏମ୍‌ଏ ଅନୁମତି ଦେଇଛି । ନିଷିଦ୍ଧାଞ୍ଚଳରେ ନିର୍ମାଣ ହୋଇପାରିବ ଲ୍ୟାଣ୍ଡ ସ୍କେପ୍‌ ପ୍ଲାଜା, ରେନ୍‌ ଗାର୍ଡେନ୍‌ ଏବଂ ସଟର ଲୋନ୍‌ । ମୁକ୍ତାକାଶ ମଣ୍ଡପ ନିର୍ମାଣ କାମ ପାଇଁ ପୁନଃ ଆବେଦନ ପାଇଁ କୁହାଯାଇଛି ।

Leave A Reply

Your email address will not be published.