ରାଜନୈତିକ ଚାନ୍ଦାରେ ଲାଗିବ ଲଗାମ

0 63

ନୂଆଦିଲ୍ଲୀ, ୨୦ା୯: ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ । ଚନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି । ଖବର ଅନୁଯାୟୀ, ଯଦି କୌଣସି ରାଜନୈତିକ ଦଳକୁ ବେନାମୀ ·ନ୍ଦା ଆକାରରେ ୨ ହଜାରରୁ କମ ଟଙ୍କା ମିଳେ ତେବେ ଏହି ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଆବଶ୍ୟକତା ନାହିଁ । ଏବେ ଏହି ଚାନ୍ଦାର ଆକାର ୨୦ ହଜାର ଟଙ୍କା ରହିଛି । ତେବେ ଏହାକୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି ନିର୍ବାଚନ କମିଶନ । ଏହାସହ ଗୋଟିଏ ଦଳକୁ ସର୍ବାଧିକ ମୋଟ୍‌ କ୍ୟାସ୍‌ ଡୋନେସନ ୨୦ କୋଟିରେ ସୀମିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖିଛନ୍ତି । ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଟଙ୍କା ଉପରେ ସ୍ୱଚ୍ଛତା ଆଣିବାକୁ ଏହି ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଥିବା ଆଇନ୍‌ ଅନୁଯାୟୀ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ । ଅନେକ ରାଜନୈତିକ ଦଳ ଡୋନେସନ ମିଳୁନଥିବା ଦର୍ଶାଉଥିବା ବେଳେ ଅଡିଟ୍‌ ବେଳେ କିନ୍ତୁ ବ୍ୟାପକ ନଗଦ ଟଙ୍କା ଡୋନେସନ୍‌ରେ ମିଳିଥିବା ଜଣାପଡୁଛି । ଏହାସହ ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଦଳ ୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଦେଲେ ଡିଜିଟାଲ କିମ୍ବା ଆକାଉଣ୍ଟ ଚେକ୍‌ ଆକାରରେ ଦେବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ନିର୍ବାଚନ କମିଶନଙ୍କ ପ୍ରସ୍ତାବକୁ ଗ୍ରହଣ କରି ଆଇନରେ ପରିବର୍ତ୍ତନ କରାଯାଏ, ତେବେ ନିର୍ବାଚନ ଲଢ଼ିବାକୁ ଟଙ୍କା ଗ୍ରହଣ ପାଇଁ ଜଣେ ପ୍ରାର୍ଥୀଙ୍କୁ ଅଲଗା ଆକାଉଣ୍ଟ କରିବାକୁ ପଡ଼ିବ । ଏହାସହ ସମସ୍ତ ଖର୍ଚ୍ଚ ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବାକୁ ବାଧ୍ୟତାମୂଳକ ହେବ ।

Leave A Reply

Your email address will not be published.