ପୁଟିନ୍‌ଙ୍କ ପରମାଣୁ ଯୁଦ୍ଧ ହୁଙ୍କାର ବଢ଼ିଲା ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

0 67

ମସ୍କୋ, ୨୧ା୯: ଦୀର୍ଘ ୭ ମାସ ହେଲା ୟୁକ୍ରେନରେ ରକ୍ତପାତ ଚଳାଇଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସବୁଠାରୁ ବଡ଼ ଧମକ ଦେଇଛନ୍ତି । ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ପୁଟିନ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ ଘୋଷଣା କରିଛନ୍ତି । ଏପରିକି ସେ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଯୁଦ୍ଧର ୭ ମାସ ମଧ୍ୟରେ ପୁଟିନଙ୍କର ଏହା ସବୁଠାରୁ ବଡ଼ ଧମକ ବୋଲି କୁହାଯାଉଛି । ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଟିନ ପ୍ରଥମଥର ପାଇଁ ରୁଷରେ ବିପୁଳ ପରିମାଣର ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶ ଦେଇଛନ୍ତି । ବଡ଼ ହମଲା ପୂର୍ବରୁ ଏପରି ସୈନ୍ୟ ସଞ୍ଚାଳନ କରାଯାଇଥାଏ । ତେଣୁ ପୁଟିନ ବଡ଼ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଥିବା ଆଶଙ୍କା କରାଯାଉଛି । ଆଜି ଦେଶବାସୀଙ୍କୁ ଟିଭି ଜରିଆରେ ସମ୍ବୋଧନ କରି ପୁଟିନ କହିଛନ୍ତି, ଯଦି ଆମ ଦେଶର ଆଭ୍ୟନ୍ତରୀଣ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ, ତା’ହେଲେ ଆମେ ନିଃସନ୍ଦେହରେ ସବୁ ପ୍ରକାରର ପଦକ୍ଷେପ ଓ ବିକଳ୍ପ ବ୍ୟବହାର କରିବାକୁ ପଛାଇବୁ ନାହିଁ । ଏହାକୁ କେହି ତୁଚ୍ଛା ଭାଷଣ କିମ୍ବା ହାଲକା ଭାବେ ବିବେଚନା କରନ୍ତୁ ନାହିଁ । ରୁଷ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ଆମେ କିଛି ବି କରିପାରିବୁ । ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନ ଜରିଆରେ ରୁଷକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଆମକୁ ପରମାଣୁ ଅସ୍ତ୍ର ଦ୍ୱାରା ବ୍ଲାକମେଲ କରୁଛନ୍ତି । ଆମେରିକା, ବ୍ରିଟେନ ଓ ୟୁରୋପ ୟୁନିୟନ ପରୋକ୍ଷରେ ରୁଷରେ ମିଲିଟାରୀ ଅପରେସନ ପାଇଁ ୟୁକ୍ରେନକୁ ଉସକାଇବାରେ ଲାଗିଛନ୍ତି । ଏହା ରୁଷ ବିରୋଧୀ ଚିନ୍ତାଧାରା । ପଶ୍ଚିମ ଦେଶ ସବୁ ସୀମା ଟପି ଗଲାଣି । ହଁ, ଯଦି କେହି ଆମକୁ ପରମାଣୁ ଅସ୍ତ୍ର ଦ୍ୱାରା ବ୍ଲାକମେଲ କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ଆମେ ମଧ୍ୟ ଏହାର ପାଲଟା ଜବାବ ଦେବା ଜାଣିଛୁ ବୋଲି ପୁଟିନ କହିଛନ୍ତି । ପୁଟିନ ପରମାଣୁ ଧମକ ଦେବା ପରେ ଆମେରିକାଠାରୁ ବ୍ରିଟେନ ଯାଏ ହଇଚଇ ସୃଷ୍ଟି ହୋଇଛି । ବ୍ରିଟେନ ପକ୍ଷରୁ ରୁଷକୁ ଧମକ ଦେବା ସହ ଲଣ୍ଡନ ସବୁବେଳେ ୟୁକ୍ରେନ ସହ ରହିଥିବ କହିଛି । ଆମେରିକା ମଧ୍ୟ ରୁଷକୁ ତେରଚ୍ଛା ବାଣ ମାରିଛି । ୟୁକ୍ରେନ ସହ ଯୁଦ୍ଧରେ ରୁଷ ପରାସ୍ତ ହେଉଥିବାରୁ ପୁଟିନ ନିଜର ହତାଶା ଭାବ ଦେଖାଇଥିବା ୱାଶିଂଟନ କହିଛି । ପୁଟିନ ମିଲିଟାରୀ ମୋବିଲାଇଜେସନ କଥା କହିବାର କିଛି ସମୟ ପରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ମଧ୍ୟ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ରୁଷ ଅତିରିକ୍ତ ୩ ଲକ୍ଷ ସୁରକ୍ଷାକର୍ମୀଙ୍କୁ ଏହି ସ୍ୱ୍ୱତନ୍ତ୍ର ଅପରେସନରେ ସାମିଲ କରିବ । ସେମାନେ ମସ୍କୋର ୨୫ ଲକ୍ଷ ସୈନ୍ୟ ବାହାନୀର ଅଂଶବିଶେଷୟ ଅତର୍କିତ ପରିସ୍ଥିତି ଓ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.