ସ୍ୱାସ୍ଥ୍ୟସେବାରେ ନୂଆ ବିପ୍ଳବ ଗରିବଙ୍କ ପାଇଁ ବରଦାନ ‘ବିଏସ୍‌କେୱାଇ’

0 99

ଭୁବନେଶ୍ୱର, ୨୪ା୯ (ଡିକେ ନ୍ୟୁଜ୍‌): ଯେପରି ଚିକିତ୍ସା ନପାଇ ଅକାଳରେ କାହାର ଜୀବନ ଚାଲିନଯାଏ ଏବଂ ହାତ ପାହାନ୍ତରେ ଗରିବ ଲୋକଙ୍କୁ କିଭଳି ଚିକିତ୍ସା ସୁବିଧା ମିଳିପାରିବ ଏହି ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି ଏହି ଯୋଜନା ସେମାନଙ୍କ ପାଇଁ ବରଦାନ ସାଜିଛି । ବିଏସ୍‌କେୱାଇ ସ୍ମାର୍ଟକାର୍ଡର ଗୋଟିଏ କ୍ଲିକ୍‌ରେ ହଜାର ହଜାର ଗରିବ ଆରୋଗ୍ୟ ଲାଭ କଲେଣି । ଦୁରାସାଧ୍ୟ କ୍ୟାନ୍ସର ରୋଗ ହେଉ କିମ୍ବା ହାର୍ଟ ଚିକିତ୍ସା କିମ୍ବା କିଡ଼ନୀ ରୋଗ ହେଉ ଏହି ବିଏସ୍‌କେୱାଇ ଯୋଜନା ଅନେକ ଲୋକଙ୍କୁ ଜୀବନଦାନ ଦେଇଛି । ବାଲେଶ୍ୱର ଜିଲ୍ଲା ସୋରର ଶମ୍ଭୁନାଥ ଖିଲାର ଦୁରାରୋଗ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବଞ୍ôଚବା ସହ କରୁଥିଲେ ଆପ୍ରାଣ ସଂଘର୍ଷ । ଠିକଣା ସମୟରେ ତାଙ୍କ ପାଇଁ ସଞ୍ଜିବନୀ ସାଜିଥିଲା ବିଏସ୍‌କେୱାଇ କାର୍ଡ । ମାଗଣାରେ ବ୍ୟୟବହୁଳ ଚିକିତ୍ସା ପରେ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କେନ୍ଦ୍ରାପଡ଼ା ପାଟକୁରା ଡାହାଳପୁରର କାମିନୀ କାନ୍ତ ସ୍ୱାଇଁ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ବିଏସ୍‌କେୱାଇ କାର୍ଡ ଯୋଗୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଢେଙ୍କାନାଳର ସ୍ମିଗ୍ଧାରାଣୀ ପଣ୍ଡା ଓ ଯାଜପୁର ଦଶରଥପୁର ରହସୋଇ ଗାଁର ୭ବର୍ଷୀୟ ଆଶୁତୋଷ ଏମାନେ ସମସ୍ତେ ବିଏସ୍‌କେୱାଇ ଯୋଗୁ ପାଇଛନ୍ତି ନୂଆ ଜୀବନ । ଏମିତି ଖୁବ୍‌ ଲମ୍ବା ତାଲିକା । ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଦେଶରେ ପ୍ରଥମକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ପାଣ୍ଠିରୁ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ୨୦୧୮ ଅଗଷ୍ଟ ୧୫ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ହାତପାହାନ୍ତରେ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ୨୦୨୧ରୁ ସାରା ରାଜ୍ୟରେ ପ୍ରଚଳନ ହେଲା ବିଏସ୍‌କେୱାଇ ସ୍ମାର୍ଟକାର୍ଡ । ସାଢେ଼ ୯୬ଲକ୍ଷ ପରିବାରଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରାଯାଇଛି । ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି । ମାଗଣାରେ ସିଟି ସ୍କାନ୍‌, କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଓ ଡାଏଲିସିସ୍‌ ଭଳି ବ୍ୟୟବହୁଳ ଚିକିତ୍ସା ମାଗଣାରେ ମିଳୁଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ୨୦୨୨ ମଇ ମାସରେ ଦିନକୁ ଖର୍ଚ୍ଚ ହେଉଥିଲା ୩କୋଟି ୨୦ଲକ୍ଷ । ଆଉ ଅଗଷ୍ଟ ମାସ ବେଳକୁ ଏହା ୪କୋଟି ୩୦ଲକ୍ଷରେ ପହଞ୍ôଚଛି । ଅଗଷ୍ଟ ମାସରେ ସରକାର ବହନ କରିଛନ୍ତି ୧୩୬କୋଟି ୩୧ଲକ୍ଷ ଟଙ୍କା । ଆପଣଙ୍କ ସ୍ୱାସ୍ଥ୍ୟ ଆମର ଦାୟିତ୍ୱ’ ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ୟୁରାନ୍ସ ଏବେ ବାସ୍ତବରେ ପରିଣତ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟସେବା ରୂପାନ୍ତରଣରେ ନୂଆ ବିପ୍ଳବ ଆଣିଛି । ଏହି ଯୁଗାନ୍ତକାରୀ ଯୋଜନାରେ ରାଜ୍ୟର ୩୯୩ଟି ହସ୍ପିଟାଲ ଓ ବାହାର ରାଜ୍ୟର ୯୦ଟି ବଡ଼ ବଡ଼ ହସ୍ପିଟାଲ ବିଏସ୍‌କେୱାଇ କାର୍ଡ ଯୋଗେ ଚିକିତ୍ସା ସେବା ଯୋଗାଇବାକୁ ରାଜ୍ୟ ସରକାର ଅନୁବନ୍ଧିତ କରିଛନ୍ତି । ଏହି ଯୋଜନାର ଲାଭ କେବଳ ରାଜ୍ୟ ଭିତରେ ଗରିବଙ୍କୁ ମିଳୁନି । ପ୍ରବାସୀ ଓଡ଼ିଆ ବି ଚିକିତ୍ସା ସେବା ପାଇବାରେ ସଫଳ ହେଉଛନ୍ତି ।

Leave A Reply

Your email address will not be published.