ଅକ୍ଟୋବର ପହିଲାରୁ ଦେଶରେ ୫-ଜି ସେବା

0 63

ନୂଆଦିଲ୍ଲୀ, ୨୪ା୯: ସବୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଦେଶରେ ଅକ୍ଟୋବର ୧ରୁ ଆରମ୍ଭ ହେବ ୫ଜିର ଯୁଗ । ଆସନ୍ତା ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଧିବଦ୍ଧ ଭାବେ ୫ଜି ନେଟୱର୍କ ସେବାର ଶୁଭାରମ୍ଭ କରିବେ । ସରକାରଙ୍କ ନ୍ୟାଶନାଲ ବ୍ରଡବ୍ୟାଣ୍ଡ ମିଶନ ଟ୍ୱିଟ କରି ଏହି ସୂଚନା ଦେଇଛି । ଏଥିରେ କୁହାଯାଇଛି ଭାରତର ଡିଜିଟାଲ ଟ୍ରାନ୍ସଫରମେସନ ଓ ଯୋଗାଯୋଗ ବ୍ୟବସ୍ଥାକୁ ନୂଆସ୍ତରକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ୫ଜି ସେବାର ଲଞ୍ଚ କରିବେ । ଏସିଆର ସବୁଠାରୁ ବଡ଼ ବୈଷୟିକ ମେଳା ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରାଯିବ ବୋଲି ମିଶନ ପକ୍ଷରୁ ଟ୍ୱିଟ କରାଯାଇଛି । ଏସିଆର ସବୁଠାରୁ ବଡ଼ ଟେଲିକମ, ମିଡିଆ ଓ ବୈଷୟିକ ଫୋରମର ମାନ୍ୟତା ପାଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ ଆୟୋଜନ ଟେଲିକମ୍ୟୁନିକେସନ ବିଭାଗ ଓ ସେଲୁଲାର ଅପରେସନ ଆସୋସିଏସନ ଅଫ ଇଣ୍ଡିଆ(ସିଓଏଆଇ) ମିଳିତ ଭାବେ କରୁଛନ୍ତି । ୫ଜି ସେବା ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ପ୍ରାଥମିକ ଅବସ୍ଥାରେ ମାତ୍ର କିଛି ହାତ ଗଣି ସହରରେ ଉପଲବ୍ଧ ହେବ । ସରକାର ଦେଶର ୮୦% ଅଞ୍ଚଳରେ ଯାଥାଶୀଘ୍ର ୫ଜି ଟେଲିକମ ସର୍ଭିସ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ବୁଧବାର ଦିଲ୍ଲୀ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ୫ଜିର ଯାତ୍ରା ଅତ୍ୟନ୍ତ ଉକ୍ରଣ୍ଠା ଆଣିବ । ବିଶ୍ୱର ଅଧିକାଂଶ ରାଷ୍ଟ୍ର ୪୦ରୁ ୫୦% ଅଞ୍ଚଳକୁ ୫ଜି ସେବା ପହଞ୍ଚାଇବା ପାଇଁ ଏକାଧିକ ବର୍ଷର ସମୟ ନେଇଥିଲେ । କିନ୍ତୁ ଆମେ ଖୁବ କମ ସମୟରେ ୮୦% ଅଞ୍ଚଳରେ ୫ଜି ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ । ଆମର ଆଶା ବହୁତ କମ ଦିନରେ ଦେଶର ୮୦% ଅଞ୍ଚଳରେ ୫ଜି ସେବା ପହଞ୍ଜିବ । ବିଶେଷଜ୍ଞଙ୍କ ମତରେ ୫ଜି ଟେକ୍ନୋଲଜି ଭାରତକୁ ଫାଇଦା ଦେବ । ଏହା ଭାରତର ଅର୍ଥନୀତିକୁ ୨୦୨୩ରୁ ୨୦୪୦ ମଧ୍ୟରେ ୩୬.୫ ଟ୍ରିଲିୟନରେ ପହଞ୍ଚାଇବାରେ ସକ୍ଷମ ହେବ । ୨୦୩୦ ସୁଦ୍ଧା ୫ଜି ସେବା ମୋଟ ଯୋଗାଯୋଗର ଏକ ତୃତୀୟାଂଶ ସ୍ଥାନ ଦଖଲ କରିବ । ସେହିପରି ୨ଜି ଓ ୩ଜି ସେବା ୧୦% ତଳକୁ ଖସିବ । ବର୍ତ୍ତମାନ ୪ଜି ସେବା ଉପଭୋଗ କରୁଥିବା ପ୍ରାୟ ୭୯% ବ୍ୟବହାରକାରୀ ୫ଜି ସେବାର ବ୍ୟବହାର ପାଇଁ ପ୍ରସ୍ତୁତ ରହିଛନ୍ତି । ୫ଜି ସେବା ଯୋଗୁ ଉତ୍ପାଦନ କ୍ଷେତ୍ର, ରିଟେଲ ଓ କୃଷି କ୍ଷେତ୍ର ଅଧିକ ଲାଭବାନ ହେବେ ।

Leave A Reply

Your email address will not be published.