ଦିଲ୍ଲୀ, ମୁମ୍ବାଇ ପରେ ବାଙ୍ଗାଲୋର ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ

0 64

ଭୁବନେଶ୍ୱର, ୨୫ା୯(ଡିକେ ନ୍ୟୁଜ): ଆସନ୍ତା ସେପ୍ଟେମ୍ବର ୨୭ରେ ବେଙ୍ଗାଲୁରୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁ ତାଜ ୱେଷ୍ଟ ଏଣ୍ଡ ହୋଟେଲରେ ୨୭ ତାରିଖରେ ରହିବା ସହ ୨୮ରେ ସେହି ହୋଟେଲରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବେ । ଏଥିସହ ନିବେଶକଙ୍କ ସହିତ ଅଲୋଚନା ମଧ୍ୟ କରିବେ ବୋଲି ଜଣାଯାଇଛି । ଏହାସହ ଓଡ଼ିଶାରେ ପୁଞ୍ଜି ନିବେଶ ଉପରେ ଅବଗତ କରାଇବେ । ତେବେ ଏହି ସମ୍ମିଳନୀରେ ବହୁ ନାମୀଦାମୀ କମ୍ପାନୀର କର୍ତ୍ତୃପକ୍ଷ ଯୋଗଦେବେ ଏବଂ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବା ସହ ସେମାନଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ ପାଇଁ ଆମନ୍ତ୍ରଣ କରିବେ । ବିଶେଷ କରି ଆଇଟି ଶିଳ୍ପ ଏବଂ ଅଟୋ ମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, ସେ ନେଇ ଆଲୋଚନା କରିବେ । ପୃ ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର (ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଅଣ୍ଡ ମେଟାଲ ଡାଉନ୍‌ଷ୍ଟ୍ରିମ୍‌, ଲଜିଷ୍ଟିକ୍‌, ପ୍ଲାଷ୍ଟିକ, କେମିକାଲ) କ୍ଷେତ୍ରରେ ନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଶାସନର ଶୀର୍ଷ ଅଧିକାରୀମାନେ ମଧ୍ୟ ବେଙ୍ଗାଲୁରୁ ଗସ୍ତ କରିବେ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିଲାଗି ଦେଶର ବିଭିନ୍ନ ରାଜ୍ୟର ରାଜଧାନୀରେ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ ଶୋ ଓ ନିବେଶକ ସମ୍ମିଳନୀ କରାଯାଇଥିଲା । ଏହାପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍‌ ସଫଳତାର ସହ କରାଯାଇଛି । ଜାତୀୟସ୍ତରରେ ଦିନକୁ ଦିନ ନବୀନଙ୍କ ପତିଆରା ବଢ଼ିବାରେ ଲାଗିଛି । ନିକଟରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା ଦିଲ୍ଲୀ ସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ୍‌ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଭାଟିକାନ୍‌ ସିଟିରେ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ଙ୍କୁ ସେ ଭେଟିଥିଲେ । ୨୯ ତାରିଖ ସକାଳେ ଓଡ଼ିଶା ଫେରିଯିବେ ମୁଖ୍ୟମନ୍ତ୍ରୀ । ତେବେ ଏହି ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ସହ ଭେଟିବା ନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.