ଭୁବନେଶ୍ୱର, ୨୫ା୯(ଡିକେ ନ୍ୟୁଜ): ପୁଣି ଥରେ ନଭେମ୍ବରରେ ଆସିପାରେ କୋଭିଡ୍ର ଆଉ ଏକ ଲହର । ଏପରି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମଲ୍ଟିପୁଲ୍ ମ୍ୟୁଟାଣ୍ଟ୍ ଯୋଗୁଁ ନୂଆ କୋଭିଡ୍ ଭାଇରସ୍ ‘ବିଏ-୨.୭୫.୨’ ଅଧିକ ସାଂଘାତିକ ହୋଇପାରେ । ସାର୍ସକୋଭ୍ ୧୯ର ନୂଆ ସର୍ଭାରିଆଣ୍ଟ୍ ଅଧିକ ଘାତକ ହୋଇପାରେ । ଏହାର ସଂକ୍ରମଣରେ କୋଭିଡ୍ ଟିକା ମଧ୍ୟ ପ୍ରଭାବଶାଳୀ ହେବ ନାହିଁ । ଆଗାମୀ ଲହରକୁ ନେଇ ଆମେରିକା ଓ ବ୍ରିଟେନ୍ ଏବେଠୁ ପ୍ରସ୍ତୁତ ହେଲେଣି । ବ୍ରିଟେନ୍ ସରକାର
ଲୋକଙ୍କୁ ଚତୁର୍ଥ କୋଭିଡ୍ ଡୋଜ୍ ଦେବାକୁ ପକ୍ରିୟା ଆରମ୍ଭ କରିଛନ୍ତି । ବ୍ରିଟେନ୍ ସରକାର କୋଭିଡ୍ ପ୍ରଥମ ଭୂତାଣୁ, ‘ବିଏ.୪ଓ ବିଏ ୫’ର ମିଶ୍ରଣ ଟୀକା ସଂପର୍କରେ ଲୋକଙ୍କୁ ଚତୁର୍ଥ ଡୋଜ୍ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଗକୁ ଦଶହରା, ପାର୍ବଣ ଋତୁରେ ସତର୍କ ରହିବା ଜରୁରୀ । ତେଣୁ ଗହଳି ସ୍ଥାନରେ ମୁହଁରେ ମାସ୍କ ବାନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଆଲ୍ଫା, ଡେଲ୍ଟା ଓ ଓମିକ୍ରେନ୍ ଭାରିଏଣ୍ଟ୍କୁ ସଫଳତା ସହିତ ମୁକାବିଲା କରାଯାଇଛି । କୋଭିଡ୍ ଭାଇରସ୍ ମ୍ୟୁଟେସନ୍ ହୋଇ କିଛି ଦିନ ବ୍ୟବଧାନରେ ନୂଆରୂପରେ ଆସିବ । ଏଯାଏଁ ନିର୍ଦ୍ଧିଷ୍ଟ ଭାବେ କରୋନା ପାଇଁ କୌଣସି ଔଷଧ ବାହାରି ନଥିଲେ ବି କୋଭିଡ୍ ନିୟମ ଅନୁପାଳନ କଲେ ଆଗକୁ ଯେତେ ଲହର ଆସିଲେ ମଧ୍ୟ ତାହାର ସଫଳ ମୁକାବିଲା କରିହେବ । ଆଗକୁ ନଭେମ୍ବର ଓ ଡିସେମ୍ବର ବେଳକୁ ଆଉ ଏକ ଲହର ଆସିପାରେ । ତେଣୁ ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲହରକୁ ଓଡ଼ିଶା ସରକାର ସଫଳତା ସହିତ ମୁକାବିଲା କରି ଆସିଛନ୍ତି । ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମୀ ପ୍ରସ୍ତୁତ ରହିଛି ।