ନୂଆଦିଲ୍ଲୀ, ୨୮ା୯: ନିଯୁକ୍ତି ପାଇଲେ ନୂଆ ସିଡିଏସ୍ । ଅବସରପ୍ରାପ୍ତ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସେ ସିଡିଏସ୍ ସହିତ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ଅନୀଲ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମେ’ ରେ ଅବସର ଗ୍ରହଣ କରିଥିଲେ । ୪ ଦଶନ୍ଧିର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବିଶେଷ ଉପଲବ୍ଧି ରହିଛି । ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଥିଲେ । ପରମ ବିଶିଷ୍ଟ ସେବା ମେଡାଲ୍, ଉତ୍ତମ ଯୁଦ୍ଧ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍, ସେନା ମେଡାଲ୍ ଓ ବିଶିଷ୍ଟ ସେବା ମେଡାଲର ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ଜେନେରାଲ୍ ଅନୀଲ ଚୌହାନ ଭାବେ ପରିଚିତ ହେବେ । ୨୦୨୧ ଡିସେମ୍ବରରେ ଜେନେରାଲ୍
ବିପିନ ରାୱତଙ୍କ ଦେହାନ୍ତ ପରେ ସିଡିଏସ୍ ପଦବୀ ଖାଲି ପଡ଼ିଥିଲା । ସୂଚନା ଅନୁଯାୟୀ, ଗତବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏମ୍ଆଇ-୧୭ ହେଲିକପ୍ଟରରେ ଜେନେରାଲ ରାୱତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବା ବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛିଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ସିଡିଏସ୍ ପଦଟି ଖାଲି ରହିଥିଲା ।
ଅନୀଲ ଚୌହାନ ନୂଆ ସିଡିଏସ୍
Prev Post
Next Post