ଭୁବନେଶ୍ୱର, ୭ା୧୦ (ଡିକେ ନ୍ୟୁଜ୍): ୧୪୩ ଜଣ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସର୍ବଦା ୫-ଟି ନିୟମକୁ ଅନୁସରଣ କର । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ ଅଟେ । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ମାର୍ଗଦର୍ଶିକା ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଆୟୁର୍ବେଦିକ ହେଉଛି ସର୍ବପୁରାତନ
ଚିକିତ୍ସା ପଦ୍ଧତି । ଆୟୁର୍ବେଦର ପରମ୍ପରାଗତ ଚିକିତ୍ସା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଏ । ତେଣୁ ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ମିଳିତ ଭାବେ କାମ କଲେ ରୋଗ ନିରାକରଣ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଦିଗରେ କାମ କରିବା ପାଇଁ ନବନିଯୁକ୍ତ ମେଡିକାଲ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୧୨ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଚିକିତ୍ସା କ୍ଷେତ୍ରରେ ୫-ଟି ଅନୁଶାସନକୁ ମାନିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ୫- ଟି ସଚିବ ଭି.କେ.ପାଣ୍ଡିଆନ୍ ଏହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ
ଏବଂ ଆୟୁଷ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।