ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

0 97

ପୁରୀ, ୯ା୧୦(ଡିକେ ନ୍ୟୁଜ): ଆଜି ଧର୍ମ ହବିଷର ମାସ କାର୍ତ୍ତିକର ପ୍ରଥମ ଦିନ । ଧର୍ମମାସ ଆରମ୍ଭ ହେଉଥିବାରୁ କାର୍ତ୍ତିକ ବ୍ରତ ଲାଗି ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀଙ୍କ ସୁଅ ଛୁଟିଛି । କୋଭିଡ଼ ପାଇଁ ଦୁଇବର୍ଷ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ମା’ମାନଙ୍କ ପାଇଁ ଯେଉଁ ହବିଷ୍ୟାଳୀ ଯୋଜନା କରାଯାଇଥିଲା ତାହା ବନ୍ଦ ରହିଥିଲା । ଏଥର ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ସରକାର ହବିଷ୍ୟାଳିମାନଙ୍କ ଲାଗି ମାଗଣାରେ ରହିବା, ମହାପ୍ରଭୁଙ୍କ ଦର୍ଶନ ସୁବିଧା, ମହାପ୍ରସାଦ ସେବନ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଚଳିତବର୍ଷ ହବିଷ୍ୟାଳୀ ଯୋଜନାରେ ରାଜ୍ୟର ୨୯ଟି ଜିଲ୍ଲାରୁ ୨,୯୩୫ ଜଣ ନାମ ପଞ୍ଜୀକରଣ କରିଛନ୍ତି । କେବଳ ମାଲକାନଗିରି ଜିଲ୍ଲାରୁ କେହି ଆବେଦନ କରିନାହାନ୍ତି । ତେଣୁ ଏଥର ୩ ହଜାର ମା’ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ପୁରୀ ଜିଲ୍ଲାରୁ ସର୍ବାଧିକ ୯୬୪, ଖୋର୍ଦ୍ଧା ୭୩୦, ଗଞ୍ଜାମ ୩୭୦, ନୟାଗଡ଼ ଜିଲ୍ଲାରୁ ୨୭୦ ଜଣ ହବିଷ୍ୟାଳୀ ଆସିବେ । ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ମା’ମାନେ ପୁରୀ ଆସିବେ । ସେମାନଙ୍କ ପାଇଁ ୫ଟି ରହଣି କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସ୍ଥାୟୀ ରହଣି କେନ୍ଦ୍ର ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ର ୧,୬୦୪ ଜଣ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା ଓ ଅକ୍ଷୟ ପାତ୍ରରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ ଏବଂ ବଳକା ୨୫ଟି ଜିଲ୍ଲାର ୬୦୧ ଜଣ ହବିଷ୍ୟାଳୀ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବେ ବୋଲି ସ୍ଥିର କରାଯାଇଛି । ସେହିପରି ରହଣି କେନ୍ଦ୍ରର ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ସବୁ ରହଣି କେନ୍ଦ୍ର ବୁଲି ତଦାରଖ କରିବେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକଙ୍କୁ ବୃନ୍ଦାବତୀ ଭକ୍ତ ନିବାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଅକ୍ଷୟପାତ୍ର ଓ ବଗଲା ଧର୍ମଶାଳା, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ ମୋଚିସାହି କଲ୍ୟାଣ ମଣ୍ଡପ ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବାଗେଡ଼ିଆ ଧର୍ମଶାଳାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.