ନିଷ୍ଠା ଓ ଆନ୍ତରିକତାର ସହ କାମ କର ଭୁବନେଶ୍ୱର, ୧୪ା୧୦ (ଡିକେ ନ୍ୟୁଜ୍): କେନ୍ଦ୍ର ସମବାୟ ବ୍ୟାଙ୍କର ସହାୟକ ଭାବେ ୧୫ ଜିଲ୍ଲାର ୩୮୪ଜଣ ବ୍ୟାଙ୍କିଙ୍ଗ ସହାୟକ ଓ ୨୦୬୩ ନବନିଯୁକ୍ତ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଥମିକ କୃଷିଋଣ ସମବାୟ ସମିତି କମ୍ପ୍ୟୁଟରୀକରଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ନିଷ୍ଠା ଓ ଆନ୍ତରିକତାର ସହ କାମ କରିବା ପାଇଁ ନବନିଯୁକ୍ତ କର୍ମଚାରୀ ଏବଂ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଭଳି ନିଯୁକ୍ତି ଦ୍ୱାରା ରାଜ୍ୟର ସମବାୟ ବ୍ୟାଙ୍କ ପାଇଁ ଐତିହାସିକ କ୍ଷଣ ସୃଷ୍ଟି ହୋଇଛି । ଏହାଦ୍ୱାରା ବ୍ୟାଙ୍କିଙ୍ଗ କ୍ଷେତ୍ରର ବିଭିନ୍ନ କାର୍ଯ୍ୟ ଆଗକୁ ସୁଦୃଢ଼ ହେବ । ଲୋକଙ୍କ ନିକଟରେ ବ୍ୟାଙ୍କିଙ୍ଗ ସୁବିଧାକୁ ସରଳୀକରଣ କରି ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ସମବାୟ ବ୍ୟାଙ୍କ ୬୦ ପ୍ରତିଶତ କୃଷିଋଣ ପ୍ରଦାନ କରିଥାଏ । କୃଷିକ୍ଷେତ୍ରକୁ ମଜବୁତ୍ କରିବାକୁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସମବାୟ ବିଭାଗକୁ ସୁଦୃଢ଼ କରିବ । ସମବାୟ ବ୍ୟାଙ୍କର କମ୍ପ୍ୟୁଟରୀକରଣ ଦ୍ୱାରା କୃଷକମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ସମବାୟ ସଚିବ ସଞ୍ଜିବ ଚୋପ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।