ଭୁବନେଶ୍ୱର, ୧୯ା୧୦ (ଡିକେ ନ୍ୟୁଜ୍): ଦୁବାଇରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଛି ଇନଭେଷ୍ଟର୍ସ ମିଟ୍ । ଆଗକୁ ରାୟପୁର ଓ କୋଲକାତାରେ ହେବ ଇନଭେଷ୍ଟର୍ସ ମିଟ୍ । ଅକ୍ଟୋବର ୨୭ରୁ ୨୯ ଯାଏଁ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କୋଲକାତାରେ ହେବ ନିବେଶକ ସମ୍ମିଳନୀ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି, “ଦୁଇବାରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଥିବା ସମସ୍ତ ନିବେଶକ ସମ୍ମିଳନୀରେ ଜବରଦସ୍ତ ରେସପନ୍ସ ମିଳିଛି । ଓଡ଼ିଶା ଆସି ପୁଞ୍ଜି ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ଦେଖାଇଛନ୍ତି । ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରେ ୩୭ ଜଣ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶ ସମ୍ମିଳନୀରେ ୪୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ସେ ଆହୁରି କହିଛନ୍ତି, “ହାଇଦ୍ରାବାଦରେ ଆଇଟି, ଲଜିଷ୍ଟିକ, ଫାର୍ମା, ହସ୍ପିଟାଲ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଲାଗି ପ୍ରତିଶ୍ରୁତି ମିଳିଛି । ୨୦୧୮ ଅପେକ୍ଷା ୨୦୨୨ରେ ଅଧିକ ପୁଞ୍ଜି ଆସିବା ନେଇ ଆଶା କରାଯାଉଛି । ମେକ ଇନ ଓଡିଶାର ଦ୍ୱିତୀୟ ସଂସ୍କରଣରେ ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ନଭେମ୍ବର ୩୦ରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଆହୁରି ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।