ଭୁବନେଶ୍ୱର, ୨୨ା୧୦(ଡିକେ ନ୍ୟୁଜ): ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତଟି ୨୩ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଓ ତାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡରେ ପରିଣତ ହେବ । ଏହା ବାତ୍ୟାର ରୂପ ନେଇ ସମୁଦ୍ର ଭିତରେ ଗତି କରିବ । ୨୫ତାରିଖ ସକାଳୁ ବାଂଲାଦେଶ ଉପକୂଳରେ ଅତିକ୍ରମ କରିବ ସ୍ଥଳଭାଗ । ବାଂଲାଦେଶର ତିନକୋଣା ଓ ସାନଦ୍ୱୀପ ମଝି ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ମଝି ସମୁଦ୍ର ସମେତ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ପବନର ବେଗ ୩୫ରୁ ୪୫ କିଲୋମିଟର ରହିବ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ନ ରହିଲେ ବି ଉପକୂଳ ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ବର୍ଷା ହେବ । ୨୩ ତାରିଖରୁ ବର୍ଷା ହୋଇପାରେ । ସେଥିପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାକ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ୨୪ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ୨୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଚିଲିକାକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଓଡ଼ିଶା ମାରାଇନ୍ ଫିସ୍ ରେଗୁଲେସନ୍ ଆକ୍ଟ ୧୯୮୨ ଅନୁଯାୟୀ ଶନିବାର ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟର ସମଗ୍ର ଉପକୂଳରେ ଏବଂ ଚିଲିକା ହ୍ରଦରେ ଯନ୍ତ୍ରଚାଳିତ ତଥା ମୋଟରଚାଳିତ ଡଙ୍ଗା ଏବଂ ଦେଶୀ ଡଙ୍ଗା ନେଇ ମାଛ ଧରିବା ପାଇଁ ବାରଣ କରାଯାଇଛି । ଅକ୍ଟୋବର ୨୨ରୁ ୨୬ ତାରିଖ ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଓ ଚିଲିକାକୁ ନଯିବା ପାଇଁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକର ମତ୍ସ୍ୟ ଅଧିକାରୀମାନଙ୍କୁ ଏ ଦିଗରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ବିଭାଗ ପକ୍ଷରୁ ମାଇକ ଯୋଗେ ଘୋଷଣା କରାଯାଇ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି । ବିଭାଗୀୟ ଅଧିକାରୀ ଏବଂ ମାରାଇନ୍ ପୋଲିସ୍ ଙ୍କ ଦ୍ୱାରା ମିଳିତ ଭାବେ ଉପକୂଳରେ ପାଟ୍ରୋଲିଂ କରାଯାଉଛି ।