ନୂଆଦିଲ୍ଲୀ: ୟୁକ୍ରେନରେ ରୁଷ ସୈନିକ ଯୁଦ୍ଧକୁ ଅଧିକ ଭୟଙ୍କର କରିବାରେ ଲାଗିଛନ୍ତି । ଗୋଟିଏ ପଟେ ରୁଷ ସେନା ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ ଏବଂ ଏୟାର ଷ୍ଟ୍ରାଇକକୁ ବଢାଇଛି । ଅନ୍ୟପଟେ ନାଟୋ ଦେଶ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କମ କିମ୍ୱା ବନ୍ଦ କରିଛନ୍ତି । ଆସୋସିଏଟ ପ୍ରେସର ରିପୋର୍ଟ ଅନୁସାରେ, ୟୁକ୍ରେନକୁ ଅସ୍ତ୍ର ଯୋଗାଇ ନାଟୋ ଦେଶର ଅସ୍ତ୍ର ଭଣ୍ଡାର ଖାଲି ହେବାରେ ଲାଗିଛି । ଏବେ ରୁଷ ଠାରୁ ଥିବା ସମ୍ଭାବିତ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ଚିନ୍ତାରେ ନାଟୋ ସଦସ୍ୟ । ତେବେ ୟୁକ୍ରେନ ପାଇଁ ଆଶ୍ୱସ୍ତିର ବିଷୟ ଏହା ଯେ ଆମେରିକା ପକ୍ଷରୁ ଆର୍ଥିକ ଏବଂ ହତିଆର ସହାୟତା ଜାରି ରହିଛି । ବିଶେଷଜ୍ଞ କହିବା ଅନୁସାରେ, ଅଧିକାଂଶ ନାଟୋ ସଦସ୍ୟ ୟୁକ୍ରେନକୁ ସାହାଯ୍ୟର ହାତ ନ ବଢାଇବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ବିଜୟ । ରୁଷ ନିକଟରେ ପରମାଣୁ ବୋମା ସହ ଅନେକ ଘାତକ ହତିଆରର ଭଣ୍ଡାର ରହିଛି ଏଥିରେ କାହାରି ସନ୍ଦେ ନାହିଁ । ତେବେ ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଏହା ଅସ୍ତ୍ର ଭଣ୍ଡାର ପ୍ରଭାବିତ ହୋଇଛି, କିନ୍ତୁ ଶେଷ ହୋଇ ନାହିଁ । ଏପିରେ ପ୍ରକାଶିକ ରିପୋର୍ଟ ଅନୁସାରେ, ୟୁରୋପୀୟ ଦେଶ ୟୁକ୍ରେନକୁ ସାହାଯ୍ୟ କରି ନିଜେ କାଙ୍ଗାଳ ହୋଇଛନ୍ତି । ଅନେକ ନାଟୋ ଦେଶରେ ଏବେ ଅସ୍ତ୍ରଶସ୍ତ୍ର ଅଭାବ ସୃଷ୍ଟି ହୋଇଛି । ଆମେରିକା ସାହାଯ୍ୟ ଜାରି ରଖିଥିବା ବେଳେ ନାଟୋର ଛୋଟ ଦେଶ ଗୁଡିକ ହତିଆର ଅଭାବକୁ ନେଇ ଚିନ୍ତାରେ ପଡିଛନ୍ତି । ରିପୋର୍ଟ ଅନୁସାରେ, ତକ୍ରାଳ ହତିଆର ନିର୍ମାଣ କରିବା ନାଟୋ ଦେଶ ପାଇଁ ସହଜ ନୁହେଁ । ବର୍ତ୍ତମାନ ସମୟରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସାମନା କରୁଛି । ଏପରି ସ୍ଥିତିରେ ଘାତକ ହତିଆର ନିର୍ମାଣ ଏବଂ ଆମଦାନୀ କରିବା ଛୋଟ ଦେଶ ପାଇଁ ଅସମ୍ଭବ ଅଟେ ।