ସ୍ମରଣୀୟ ହେବ ହକି ବିଶ୍ୱକପ୍‌

0 408

ଭୁବନେଶ୍ୱର, ୧୮ା୧୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ୱ କପ୍‌
ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଏଫ୍‌ଆଇଏଚ୍‌ ପୁରୁଷ ବିଶ୍ୱ କପ୍‌ ହକି-୨୦୨୩, ଭୁବନେଶ୍ୱର ଓ ରାଉରକେଲାଠାରେ ୧୩ ଜାନୁଆରୀରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ବିଶ୍ୱର ୧୬ଟି ଦଳ ଅଂଶଗ୍ରହଣ କରିବେ । ଭୁବନେଶ୍ୱରରେ ୨୪ ଗୋଟି ମ୍ୟାଚ ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିଶ୍ୱକପ୍‌ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ । ଉଭୟ ଷ୍ଟାଡିୟମରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ୍‌ ଲାଇଟ୍‌ କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲ ମାନଙ୍କ ରହଣୀ ପାଇଁ ୨୨୫ଟି ରୁମ୍‌ ତିଆରି କାମ ·ଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ । ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକି ବିଶ୍ୱକପ୍‌ ଉତ୍ସବ ପାଳନ କରାଯିବ । ଓଡିଶାର ଅଧିକାଂଶ ଜିଲ୍ଲା ସହିତ ସାରା ଦେଶରେ ଏହି ହକି ବିଶ୍ୱକପ ଟ୍ରଫ ପ୍ରଦର୍ଶନ ଯାତ୍ରା କରାଯିବ । ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ । ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ଏବଂ ସମସ୍ତଙ୍କ ଭିତରେ ବିଶେଷକରି ପିଲାମାନଙ୍କ ଭିତରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ । ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ରାଉରକେଲା ଓ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣ କରାଯିବ । ସବୁ ବିଭାଗ ଏଥିପାଇଁ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ । ତା’ସହିତ ଖେଳାଳୀ ଓ ମ୍ୟାଚ ଅଫିସିଆଲ ମାନଙ୍କ ଯାତାୟାତ ପାଇଁ ଚାର୍ଟର ଫ୍ଲାଇଟ୍‌ର ବ୍ୟାବସ୍ଥା କରାଯାଉଛି । ଏହି ଅବସରରେ ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହେବ । ଆୟୋଜକ କମିଟି ଓ ବିଭିନ୍ନ ସବ୍‌ କମିଟି ବିଶ୍ୱକପ ହକିର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାକୁ ସଂପୂର୍ଣ୍ଣ ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ଶ୍ରୀ ମହାପାତ୍ର ମନ୍ତ୍ରୀମଣ୍ଡଳକୁ ଅବଗତ କରାଇଥିଲେ । ବିଶ୍ୱକପ୍‌ ହକି ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗ ଗୁଡିକର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହକି ବିଶ୍ୱକପ୍‌ ଯେଭଳି ବିଭିନ୍ନ ଟିମ୍‌ ଓ ପ୍ରଶଂସକ ମାନଙ୍କ ନିମନ୍ତେ ଏକ ଭବ୍ୟ ଉତ୍ସବ ଭାବରେ ସ୍ମରଣୀୟ ହୋଇରହିବ, ସେଥିପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.