ଆଶୀର୍ବାଦ ସମାବେଶରେ ବର୍ଷା ବରିହା

0 70

ଭୁବନେଶ୍ୱର, ୨୫ା୧୧ (ଡିକେ ନ୍ୟୁଜ୍‌): ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ତାର ପ୍ରଚାର ଅଭିଯାନକୁ ଜୋରଦାର କରିଛି । ପ୍ରାର୍ଥୀ ବର୍ଷା ସିଂ ବରିହା ସକାଳୁ ସନ୍ଧ୍ୟା ଯାଏ ପାଇକାମାଳ ବ୍ଲକ୍‌ର କେରେମେଲିବାହାଲ, ମଥୁରାପୁର, ପଲସଢ଼ା, ଭୁବନେଶ୍ୱରପୁର, ଲିଙ୍ଗରାଜପୁର, ପାଇକମାଳ, ଚଢେ଼ଇଗାଁ ଓ ମିଠାପାଲି ପଞ୍ଚାୟତର ୬୯ଟି ଗାଁକୁ ଯାଇ ଲୋକଙ୍କୁ ଆଶୀର୍ବାଦ ମାଗିଥିଲେ । ଏଥିସହିତ ପଦ୍ମପୁର ପାଇକମାଳ ଜାମସେଦରେ ଆୟୋଜିତ ଆଶୀର୍ବାଦ ସମାବେଶରେ ଯୋଗ ଦେଇଥିଲେ । ଦଳୀୟ ପ୍ରାର୍ଥୀ ବର୍ଷାଙ୍କୁ ଆଶୀର୍ବାଦ ଅଜାଡିଥିଲେ ପଦ୍ମପୁରବାସୀ । ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଦେଇଛନ୍ତି ସମର୍ଥନର ପ୍ରତିଶ୍ରୁତି । ବିରାଟ ସମାବେଶ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ବର୍ଷା ବରିହା । ହଜାର ହଜାର ସଂଖ୍ୟକ ମହିଳା ତାଙ୍କୁ ଆଶୀର୍ବାଦ ଦେବା ସହିତ ବିଜୟୀ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବର୍ଷାଙ୍କ ସମର୍ଥନରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ବିଜେଡିର ହେଭିୱେଟ୍‌ ନେତା ଓ ମନ୍ତ୍ରୀ । ଜାମସେଦଠାରେ ଆୟୋଜିତ ହୋଇଥିବା ଆଶୀର୍ବାଦ ସମାବେଶ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଯେଉଁଥିରେ ବିଜେଡିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନବ ଦାସ, ରୀତା ସାହୁ, ଟୁକୁନି ସାହୁ, ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୁଶାନ୍ତ ସିଂ, ଅରୁଣ ସାହୁ, ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେପି ନେତା ସାମିଲ ହୋଇଥିଲେ । ଆଶୀର୍ବାଦ ସମାବେଶରେ ୭ଟି ବ୍ଲକ୍‌ର ୨୦୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ପୂରା ଅଞ୍ଚଳ ଏବେ ଶଙ୍ଖମୟ ହୋଇଉଠିଛି । ବିପୁଳ ଭୋଟ ବ୍ୟବଧାନରେ ବର୍ଷା ବିଜୟୀ ହେବେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

Leave A Reply

Your email address will not be published.