ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ପୁଞ୍ଜି ବର୍ଷା ୮.୯୦ ଲକ୍ଷ କୋଟି ନିବେଶ ପ୍ରସ୍ତାବ

0 87

ଭୁବନେଶ୍ୱର, ୨ା୧୨ (ଡିକେ ନ୍ୟୁଜ୍‌): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଳେଭ୍‌ରେ ଆଜି ମଧ୍ୟ ପୁଞ୍ଜିର ବର୍ଷା । ଏପର୍ଯ୍ୟନ୍ତ ୩୨୫ଟି ଶିଳ୍ପସଂସ୍ଥା ନିକଟରୁ ୮ଲକ୍ଷ ୯୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି । ଏଥିରେ ୭ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବ । ଆଜି ୧୮୦ ସଂସ୍ଥା ପକ୍ଷରୁ ୧ଲକ୍ଷ ୭୦ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଖଣି ଓ ଇସ୍ପାତ କ୍ଷେତ୍ରରେ ୪୬ଟି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୪୩ଟି ଆଇଟିରେ ୨୪ଟି ଶକ୍ତି ରିନ୍ୟୁଏବଲ ଏନର୍ଜି କ୍ଷେତ୍ରରେ ୨୨ଟି କେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୧୭ଟି ଟେକ୍ସଟାଇଲ ଓ ଗାର୍ମେଣ୍ଟ କ୍ଷେତ୍ରରେ ୯ଟି ଏଗ୍ରିମାର୍କେଟିଂ ଓ ଏଗ୍ରିବିଜ୍‌ନେସ୍‌ କ୍ଷେତ୍ରରେ ୧୫୦ କୋଟି ଟଙ୍କାର ନିବେଶ ସହିତ ୧୯ଟି ପ୍ରସ୍ତାବ ଗ୍ରହଣ ହୋଇଛି । ଚଳିତ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏଥିରେ ମୋଟ ୪ ହଜାର ୪୨୩ କୋଟି ଟଙ୍କା ନିବେଶ ହେଉଥିବା ବେଳେ ୧୪ ହଜାର ୨୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ୍‌ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରେସମିଟରେ ସୂଚନା ଦେଇଛନ୍ତି । ଏଥିସହିତ ଆସିଲା ନୂଆ ବୟନଶିଳ୍ପ ନୀତି । ନୂଆ ନୀତି ଅଧୀନରେ ପୁଞ୍ଜିନିବେଶ କ୍ଷେତ୍ରରେ ନିବେଶକଙ୍କୁ ୪୦ ପ୍ରତିଶତ ବା ସର୍ବାଧିକ ୫୦ କୋଟି ଯାଏ ସବ୍‌ସିଡି ଦିଆଯିବ । ପୁରୁଷ ଶ୍ରମିକଙ୍କୁ ନିଯୁକ୍ତ କଲେ ଜଣପିଛା ୫ହଜାର ଟଙ୍କା, ମହିଳାଙ୍କ କ୍ଷେତ୍ରରେ ୬ହଜାର ଟଙ୍କା ସବ୍‌ସିଡି ଦିଆଯିବ । ରାଜ୍ୟର ଏମ୍‌ଏସ୍‌ଏମଇ କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଆଜି ପାଖାପାଖି ୧୦୦ରୁ ଅଧିକ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । ପ୍ଲାଷ୍ଟିକ୍‌ ଓ ପେଟ୍ରୋକେମିକାଲ୍‌ କ୍ଷେତ୍ରରେ ମଧ୍ୟ ପୁ୍‌ଞ୍ଜିନିବେଶ ଲାଗି ଆଗ୍ରହ ଦେଖାଇଛନ୍ତି ଅନେକ କମ୍ପାନୀ । ଟେକ୍ସଟାଇଲ୍‌ କ୍ଷେତ୍ରରେ ପ୍ରାୟ ଦୁଇହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ନିବେଶକ ଆଗ୍ରହ ଦେଖାଇଛନ୍ତି । ସେହିପରି ଚକି ବ୍ରାଣ୍ଡ ନାମରେ ପେଜ୍‌ ଇଣ୍ଡଷ୍ଟ୍ରିଜ୍‌ ରାମଦାସପୁରରେ ନିଜର ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୪୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି । ଏଥିସହିତ ଓଡ଼ିଶାରେ ସ୍ପିନିଂ ମିଲ୍‌ ବସାଇବାକୁ ମଧ୍ୟ ଇଣ୍ଡୋ- ରାମା କମ୍ପାନୀ ଯୋଜନା କରିଛି । ଏଥିପାଇଁ କମ୍ପାନୀ ରାଜ୍ୟରେ ୭୦୦ କୋଟି ଟଙ୍କା ନିବେଶ କରିବ । ଶିଳ୍ପାୟନ ପାଇଁ ସର୍ବସମ୍ମତିର ଆବଶ୍ୟକତା ରହିଛି । ବଡ଼ ବଡ଼ ଶିଳ୍ପ ଆସିଲେ ରାଜ୍ୟର ରାଜସ୍ୱ ବଢ଼ିବ । ଏହାଦ୍ୱାରା ସମସ୍ତେ ଉପକୃତ ହେବେ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.