ନୂଆଦିଲ୍ଲୀ ୦୨ ।୧୨: ଚେନ୍ନାଇ ସୁପରକିଙ୍ଗସର ବରିଷ୍ଠ ଖେଳାଳୀ ବ୍ରାଭୋ ଆଇପିଏଲ ୨୦୨୩ ଖେଳିବେ ନାହିଁ । ସେ କେବଳ ୨୦୨୩ ଆଇପିଏଲ ନୁହେଁ ପୂରା ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ହେଲେ ସେ ଆଇପିଏଲରୁ ଅବସର ନେବା ଘୋଷଣା କରିବା ପରେ ଚେନ୍ନାଇ ସୁପରକିଙ୍ଗସ ତାଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତି କରିବାକୁ ଘୋଷଣା କରିଛି । ଏନେଇ ସିଏସକେ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ସୂଚନା ମୁତାବକ ଚେନ୍ନାଇ ସୁପରକିଙ୍ଗସର ବୋଲିଂ କୋଚ୍ ଥିବା ଲକ୍ଷ୍ମୀପତି ବାଲାଜୀ ଗୋଟିଏ ବର୍ଷ ପାଇଁ ବ୍ରେକ୍ ନେଇଥିବାରୁ ତାଙ୍କ ସ୍ଥାନରେ ବ୍ରାଭୋଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ବ୍ରାଭୋଙ୍କ ଆଇପିଏଲ କ୍ୟାରିଅରକୁ ଯଦି ନଜର ପକାଇବା ତେବେ ସେ ଆଇପିଏଲରୁ ମୋଟ ୧୫୬୦ ରନ୍ ସଂଗ୍ରହ କରିଥିବା ବେଳେ ୧୮୩ ଟି ୱିକେଟ ହାସଲ କରିଛନ୍ତି । ବ୍ରାଭୋ ଆଇପିଏଲ ସିଜିନ ଆରମ୍ଭରୁ ଟୁର୍ଣ୍ଣାମେଣ୍ଟ ସହ ଜଡିତ ରହିଛନ୍ତି । ସେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ବ୍ରାଭୋଙ୍କ ମୋଟ ଆଇପିଏଲ ଖେଳର ପ୍ରଭାବ ଦେଖିଲେ ସେ ୧୬୧ ଟି ମ୍ୟାଚ୍ ଖେଳି ୧୫୬୦ ରନ ସଂଗ୍ରହ କରିଛନ୍ତି । ଏହାସହ ୧୮୩ ଟି ୱିକେଟ ହାସଲ କରିଛନ୍ତି ।