ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

0 107

ଆସିବ ଅଧିକ ଲହର: ବଢ଼ିବ ମୃତ୍ୟୁସଂଖ୍ୟା ବେଜିଂ, ୫ା୧: ଚୀନ୍‌ରେ ମହାରୂପ ଦେଖାଉଛି ମହାମାରୀ । ଓମିକ୍ରନ୍‌ର ସବ୍‌ ଭାରିଆଣ୍ଟ ସୁନାମୀ ଆଣିଛି । ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ପ୍ରତିଦିନ ପୋକମାଛି ଭଳି ଲୋକ ମରୁଛନ୍ତି । ହସ୍ପିଟାଲର ସ୍ଥିତି ସାରା ବିଶ୍ୱକୁ ଛାନିଆ କରିଛି । ଏଥିନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନ୍‌କୁ ଚେତାଇ କହିଛି ମୃତ୍ୟୁର ତଥ୍ୟ ଲୁଚାଅ ନାହିଁ । ପ୍ରତି ସପ୍ତାହରେ ୧୦ହଜାର ଲୋକଙ୍କ ଜୀବନ ଯାଉଛି । କିନ୍ତୁ ପ୍ରକୃତ ତଥ୍ୟ ତା’ଠାରୁ ଢେର ଅଧିକ । କ୍ରମାଗତ କୋଭିଡ୍‌ ତଥ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଗୁଥିଲେ ହେଁ ଚୀନ୍‌ ତଥ୍ୟ ଦେବା ବନ୍ଦ କରିଦେଇଛି । ଏବେ ଏହା ଚୀନ୍‌ରୁ ବିଭିନ୍ନ ଦେଶକୁ ଡେଇଁଲାଣି । ମାରାତ୍ମକ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ଏକ୍ସବିବି.୧.୫ ବର୍ତ୍ତମାନ ସୁଦ୍ଧା ୨୯ ଦେଶକୁ ମାଡ଼ିଲାଣି । ଆମେରିକା ଏବଂ ୟୁରୋପ୍‌ରେ ଦ୍ରୁତଗତିରେ ମାଡ଼ୁଛି । ବର୍ତ୍ତମାନ ସୁଦ୍ଧା ସବୁଠୁ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ ଏକ୍ସବିବି.୧.୫ ଅନ୍ୟ ଭାରିଆଣ୍ଟର ସ୍ଥାନ ନେଇଛି । ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମାତ୍‌ ଦେବାର ତାର କ୍ଷମତା ଅଛି । ଏକ୍ସବିବି.୧.୫ ଭାରିଆଣ୍ଟ ଯୋଗୁ ଆମେରିକାରେ କରୋନା ସଂକ୍ରମଣ ପ୍ରତି ଦୁଇ ସପ୍ତାହରେ ଡବଲ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରେ କରୋନା ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛି ଆମେରିକା । ଚୀନ୍‌ରେ କରୋନା ସ୍ଥିତି ସମ୍ବେଦନଶୀଳ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ, ଆଗକୁ ଅଧିକ ଲହର ଆସିବ । ସଂକ୍ରମଣ ସହିତ ରଚିବ ମୃତ୍ୟୁର ତାଣ୍ଡବ । ଅନ୍ୟପକ୍ଷରେ ଦେଶରେ କରୋନାର ନୂଆ ଲହରର ଆଶଙ୍କା ଭିତରେ ବିଦେଶରୁ ଆସିଥିବା ଯାତ୍ରୀଙ୍କଠାରେ କୋଭିଡ୧୯ ଓମିକ୍ରନ୍‌ ଭାରିଆଣ୍ଟର ୧୧ଟି ସବ୍‌-ଭାରିଆଣ୍ଟ ମିଳିଛି । ୨୪ ଡିସେମ୍ବରରୁ ୩ ଜାନୁଆରୀ ମଧ୍ୟରେ ୧୯,୨୨୭ ଅନ୍ତର୍ଜାତୀୟ ଯାତ୍ରୀଙ୍କ ନମୁନା ଯାଞ୍ଚ କରାଯାଇଥିଲା । ସେଥି ମଧ୍ୟରୁ ୧୨୪ଟି ନମୁନା ପଜିଟିଭ୍‌ ଆସିଛି । ବିଦେଶରୁ ଭାରତ ଆସିଥିବା ଯାତ୍ରୀମାନଙ୍କ ନମୁନା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସମୁଦ୍ର ବନ୍ଦରରେ ନିଆଯାଇଥିଲା ।
ଯାଞ୍ଚରେ କରୋନା ସଂକ୍ରମିତ ମିଳିଥିବା ୧୨୪ ଜଣ ଯାତ୍ରୀଙ୍କୁ ଆଇସୋଲେଟ୍‌ କରାଯାଇଛି । ସରକାରୀ ସୂତ୍ରରୁ ଜଣାପଡ଼ିଛି, ୧୨୪ କରୋନା ପଜିଟିଭ ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣଙ୍କର ଜିନୋମ ସିକ୍ୱେନ୍ସିଂ ଫଳାଫଳ ଆସିଛି । ଏଥିରେ ଓମିକ୍ରନର ଏକ୍ସବିବି.୧ ସବ୍‌ ଷ୍ଟ୍ରେନ୍‌ର ସର୍ବାଧିକ ୧୪ଟି ନମୁନା ମିଳିଥିବା ବେଳେ ଜଣଙ୍କଠାରେ ବିଏଫ୍‌.୭.୪.୧ ମିଳିଛି । ଗୁରୁବାର ଦେଶରେ କୋଭିଡ ସଂକ୍ରମଣରେ ମାମୁଲି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୮ ନୂଆ ମାମଲା ମିଳିଥିବା ବେଳେ ବୁଧବାର ୧୭୪ଟି ମାମଲା ରେକର୍ଡ ହୋଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ସକାଳେ ଜାରି ତଥ୍ୟ ମୁତାବକ, ନୂଆ ମାମଲା ସମେତ ଦେଶରେ ଏ ପର୍ଯ୍ୟନ୍ତ ମୋଟ ୪,୪୬,୭୯,୩୧୯ ସଂକ୍ରମିତ ବାହାରିଛନ୍ତି ।

Leave A Reply

Your email address will not be published.