ନୂଆଦିଲ୍ଲୀ, ୬ା୧: କ୍ରାକେନ୍ ରୂପରେ ଆସିଲା କରୋନା । କରୋନାର ଏକ ନୂଆ ସବ ଭାରିଆଣ୍ଟ କ୍ରାକେନ୍ । ଏକ୍ସବିବି ୧.୫ର ଏହା ସବ୍ ଭାରିଆଣ୍ଟ । କ୍ରାକେନ୍ ଏବେ ବିଶ୍ୱରେ ଚିନ୍ତା ବଢ଼ାଇବାରେ ଲାଗିଛି । କ୍ରାକେନ୍ ଏବେ ଦ୍ରୁତ ଗତିରେ ମାଡ଼ୁଛି । ପ୍ରଥମେ ଏହା ଆମେରିକାରେ ଚିହ୍ନଟ ହୋଇଥିଲା । ଏବେ ଏହା ୨୮ ଦେଶକୁ ମାଡ଼ିଲାଣି । ଚୀନ୍ରେ ମହାରୂପ ଦେଖାଉଛି ମହାମାରୀ । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନକୁ ଚେତେଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମୃତ୍ୟୁର ତଥ୍ୟ ଲୁ·ଅନି । ପ୍ରତି ସପ୍ତାହରେ ୧୦ ହଜାର ଲୋକଙ୍କ ଜୀବନ ଯାଉଛି । କିନ୍ତୁ ପ୍ରକୃତ ମୃତ୍ୟୁ ଢେର ଅଧିକ । କ୍ରମାଗତ କୋଭିଡ୍
ତଥ୍ୟ ମାଗୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିନ୍ତୁ ଚୀନ୍ ପ୍ରକୃତ ତଥ୍ୟ ଦେବା ବନ୍ଦ କରି ଦେଇଛି । ମାରାତ୍ମକ ଓମିକ୍ରନ୍ ସବ୍ଭାରିଆଣ୍ଟ ଏକ୍ସବିବି୧.୫ ବର୍ତ୍ତମାନ ସୁଦ୍ଧା ୨୮ ଦେଶକୁ ମାଡ଼ିଲାଣି । ଆମେରିକା ଓ ୟୁରୋପରେ ଦ୍ରୁତଗତିରେ ମାଡୁଛି । ବର୍ତ୍ତମାନ ସୁଦ୍ଧା ସବୁଠୁ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ ଏକ୍ସବିବି.୧.୫ । ଅନ୍ୟ ଭାରିଆଣ୍ଟର ସ୍ଥାନ ନେଉଛି । ରୋଗ ପ୍ରତିରୋଧକ ଶକ୍ତିକୁ ବି ମାତ୍ ଦେବା କ୍ଷମତା ରଖିଛି କ୍ରାକେନ୍ । ଅନ୍ୟପକ୍ଷରେ କରୋନାର ନୂତନ ରୂପ ଓମିକ୍ରନକୁ ନେଇ ଚୀନର ସ୍ଥିତି ସାଙ୍ଘାତିକ ହୋଇ ପଡିଛି । ଆଉ କିଛି ଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ଓମିକ୍ରନକୁ ନେଇ ପୁଣି ଥରେ ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି । ତେବେ ଏହା ମଧ୍ୟରେ ଓଡିଶା ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଓଡିଶା ପାଇଁ ନାହିଁ କୋଭିଡ୍ ବିପଦ । କରୋନା ନେଇ ଶୁକ୍ରବାର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା । ସେ କହିଛନ୍ତି ଚୀନ, ଜାପାନ, ଥାଇଲାଣ୍ଡ, ହଂକ ପରି କିଛି ଦେଶରେ ଓମିକ୍ରନ ବିଏଫ ୭ର କେସ୍ ବଢିଛି । ତଥାପି ଭୟଭୀତ ହେବାର କୌଣସି କାରଣ ନାହିଁ । ଦୈନିକ ଦେଶରେ ୨ ଲକ୍ଷ ଏବଂ ରାଜ୍ୟରେ ୭ ହଜାର ଟେଷ୍ଟ ହେଉଛି । ସେଥିରୁ ବହୁତ କମ ଅର୍ଥାତ ନଗଣ୍ୟ ଲୋକଙ୍କ ପଜିଟିଭ୍ ଆସୁଛି । ତଥାପି ଆମକୁ ସତର୍କ ରହିବା ସହ ମାସ୍କ ପିନ୍ଧିବା ଏବଂ ଭିଡ ସ୍ଥାନରୁ ଦୂରେଇ ରହିବା ଭଲ । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଦ୍ୱିତୀୟ ବୁଷ୍ଟର ଡୋଜର କୌଣସି ପ୍ରାବଧାନ ନାହିଁ । ତଥାପି ଦୁଃସାଧ୍ୟ ରୋଗରେ ପୀଡିତଙ୍କୁ ୨ୟ ଡୋଜ୍ ଆବଶ୍ୟକ ପଡିପାରେ । ଆଉ ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନେ ନେଇଯିବା ଉଚିତ୍ ବୋଲି ପ୍ରଫେସର ଡାକ୍ତର ପଣ୍ଡା କହିଛନ୍ତି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ କୁହାଯାଇପାରେ ଯେ ଭାରତ କି ଓଡିଶା ପାଇଁ କୋଭିଡ୍ ବିପଦ ନାହିଁ ବୋଲି ପ୍ରଫେସର ପଣ୍ଡା କହିଛନ୍ତି ।