ଆଜିଠୁ ହକି ମହାକୁମ୍ଭ

0 74

ଭୁବନେଶ୍ୱର, ୧୦ା୧ (ଡିକେ ନ୍ୟୁଜ୍‌): ରାଜ୍ୟରେ ହକି ବିଶ୍ୱକପ୍‌ ଫିଭର । କାଲି କ୍ରିକେଟ୍‌ର ଗଡ଼ କଟକ ବାରବାଟୀରେ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ସମାରୋହ । ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ମୈଦାନ ପ୍ରସ୍ତୁତ । ଉଲ୍ଲାସ, ଉତ୍ସାହ ଏବଂ ଉତ୍ସବର ମହାପର୍ବରେ ଦୁଲୁକିବ ମଞ୍ଚ । ଉତ୍ସବର ମାହୋଲ ଭିତରେ କମ୍ପିବ ବାରବାଟୀ । ନାମୀଦାମୀ ବଲିଉଡ୍‌ର କଳାକାରଙ୍କ ପରିବେଷଣରେ ଦୁଲୁକିବ ମଞ୍ଚ । ଜଲୱା ଦେଖାଇବେ ବଲିଉଡ୍‌ ଷ୍ଟାର ରଣବୀର ସିଂ, ଦିଶା ପଟ୍ଟାନୀ ଏବଂ ପ୍ରିତମ୍‌ ଚକ୍ରବର୍ତ୍ତୀ । ଏଥିପାଇଁ ନବବଧୂ ରୂପରେ ସଜେଇ ହୋଇଛି କଟକ । ଲାଇଟ୍‌ ଓ ରଙ୍ଗବେରଙ୍ଗର ଚିତ୍ର ସବୁଜ ସୁନ୍ଦର ଗଛବୃକ୍ଷରେ ରାସ୍ତାର ଦୁଇପାଶ୍ୱର୍କୁ ସୁସଜ୍ଜିତ କରାଯାଇଛି । ପୂରା ସହରରେ ଉତ୍ସାହର ମାହୋଲ । ଏଥିସହିତ ଉଦ୍‌ଘାଟନୀ ସମାରୋହରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍‌ ସୁଟ୍‌ । ଏକକାଳିନ ଉଡ଼ିବ ୫୦୦ରୁ ଊଦ୍ଧ୍ୱର୍ ଡ୍ରୋନ୍‌ । ଉଦ୍‌ଘାଟନୀ
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର ସମ୍ଭାବନା ରହିଛି । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚଳିତଥର ବିଶ୍ୱକପ୍‌ ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ଼ ଉତ୍ସବ ମୁଖର ହୋଇଉଠିଛି । ବିଶ୍ୱକପ୍‌ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଶହ ଶହ ଯୁବକ ସାଇକେଲ ଯୋଗେ ରାଉରକେଲାରୁ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଉରକେଲାରେ ବିଶ୍ୱକପ୍‌ର ସଫଳତା ପାଇଁ ସହଯୋଗ କାମନା କରିଥିଲେ । ଏଥିସହିତ କଟକକୁ ବିଶ୍ୱକପ୍‌ ହକି ଆୟୋଜନରେ ସିଧାସଳଖ ଯୋଡ଼ିଥିବାରୁ କଟକ ନଗର ଶାନ୍ତି କମିଟିର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ହକି ବିଶ୍ୱକପ୍‌ ଟ୍ରଫିକୁ କାଲି ସହରର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବ । ଉଦ୍‌ଘାଟନୀ ସମାରୋହର ମଜା ଉଠାଇବାକୁ କଟବ ବାସିନ୍ଦାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କଟକ ମହାନଗର ନିଗମ । କଟକର ସମୁଦାୟ ୫୯ଟି ୱାର୍ଡରେ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା କରାଯାଇଛି । ୧୬ଟି ସ୍ଥାନରେ ସ୍ୟାଣ୍ଡପାର୍କ କରାଯାଇ ଏଲଇଡିର ବ୍ୟବସ୍ଥା କରାଯାଇଛି । ସେଠାରେ ୨୦୦ରୁ ୩୦୦ ଲୋକ ବସିବାର ସୁବିଧା କରାଯାଇଛି । ବୃନ୍ଦାବନ ହଲ୍‌ରେ ହକି ବିଶ୍ୱକପ୍‌ର ଲାଇଟ୍‌ ପ୍ରଦର୍ଶନ କରାଯିବ । କିଛି ସ୍କୁଲରେ ମଧ୍ୟ ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଛି । ଓଡ଼ିଶା କ୍ରମାଗତ ଦ୍ୱିତୀୟଥର ପାଇଁ ଏଫ୍‌ଆଇଏଚ୍‌ ବିଶ୍ୱକପ୍‌ ଆୟୋଜନ କରି ଦେଶ ତଥା ରାଜ୍ୟ କ୍ରୀଡ଼ାରେ ନୂଆ ଇତିହାସ ସୃଷ୍ଟି କରିଛି । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ରାଜଧାନୀ ଭୁବନେଶ୍ୱର ଏବଂ ଇସ୍ପାତ ନଗରୀ ରାଉରକେଲାରେ ବିଶ୍ୱକପ୍‌ ଅନୁଷ୍ଠିତ ହେବ । ୧୬ଟି ଶ୍ରେଷ୍ଠ ଦଳକୁ ନେଇ ୧୭ଦିନ ଖେଳାଯିବ ଟୁର୍ଣ୍ଣାମେଣ୍ଟ ।

Leave A Reply

Your email address will not be published.