ଓଡ଼ିଶାର ଆତିଥ୍ୟ ଦେଖିଲା ବିଶ୍ୱ

0 74

କଟକ, ୧୧ା୧(ଡିକେ ନ୍ୟୁଜ): ବାରବାଟୀରୁ ବିଶ୍ୱ ଦେଖିଲା ଓଡ଼ିଶାର କଳା ସଂସ୍କୃତି ସହ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ମହୋତ୍ସବ । ନାଚଗୀତରେ ଦୁଲୁକିଲା ମଞ୍ଚ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଏଫ୍‌ଆଇଏଚ୍‌ ସଭାପତି ତୟାବ ଇକ୍ରମା ଓ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଥିଲା ବରବାଟୀ ଷ୍ଟାଡିୟମ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ସେ ପୂର୍ବରୁ ହକି ବିଶ୍ୱକପ୍‌ର ଅନେକ ଆୟୋଜନ ଦେଖିଛନ୍ତି, ହେଲେ ଏଭଳି ଆୟୋଜନ ହୋଇଥିବାର କେଉଁଠାରେ ଦେଖିନଥିଲେ । ଏହାକୁ ସେ ଏକ ଭବ୍ୟ ଆୟୋଜନ ବୋଲି କହିଥିଲେ । ଓଡଶା ସରକାରଙ୍କ ଏଭଳି ଆୟୋଜନକୁ ସମସ୍ତେ ପ୍ରଂଶସା କରିଥିଲେ । କେବଳ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଓଡ଼ିଶା ଏକ ନୂଆ ହକି ଷ୍ଟାଡିୟମ ନିର୍ମାଣ କରିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ । ଏଥିସହ ସେ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହୋଇଥିବାରୁ ବେଶ୍‌ ‘ଖୁସି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ନବବଧୂ ବେଶରେ ସଜେଇ ହୋଇଥିବା ବାରବାଟୀ ଷ୍ଟାଡିୟମ୍‌ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଥିଲା । ତାରକାଙ୍କ ନାଚଗୀତରେ ଝୁମିଥିଲେ ସମସ୍ତ ଦର୍ଶକ । ହଜାର ହଜାର ଦର୍ଶକଙ୍କ ପାଇଁ ଆକର୍ଷଣ ସାଜିଥିଲା ଓଲିଉଡ୍‌ ଓ ବଲିଉଡ୍‌ କଳାକାରଙ୍କ ଡ୍ୟାନ୍ସ ଓ ମ୍ୟୁଜିକ୍‌ । ଏହି ଗ୍ରାଣ୍ଡ ସେଲିବ୍ରେସନ୍‌ରେ ଜଲୱା ଦେଖାଥିଲେ ବଲିଉଡ୍‌ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଗୁରୁ ଅରୁଣା ମହାନ୍ତି ସମସ୍ତଙ୍କୁ ନଚାଇଥିବା ବେଳେ ନମିତା ମେଲକା ଗୀତରେ ଝୁମାଇଥିଲେ । ଏହାପରେ ସ୍ମିତି ମିଶ୍ରଙ୍କ ଗୀତରେ ଦର୍ଶକ ଝୁମିବା ସହିତ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ଦେଶାତ୍ମବୋଧକ ନୃତ୍ୟରେ ଜାତୀୟତା ଭାବରେ ଶିହିରି ଉଠିଥିଲା ପୂରା ଷ୍ଟାଡିୟମ୍‌ । ପରେ ମଞ୍ଚକୁ ଆସିଥିଲେ ର‍୍ୟାପର ବିଗ୍‌ ଦେଓଲ । ନିଜ ର‍୍ୟାପ୍‌ ଗୀତରେ ଝୁମାଇଥିଲେ ଦର୍ଶକଙ୍କୁ । ଏହା ପରେ ପରେ ମଞ୍ଚରେ ଚଲ ଛୈୟାଁ ଛୈୟାଁ ଗୀତରୁ ତାଙ୍କର ଜଲୱା ଦେଖାଇଥିଲେ ଋତୁରାଜ ମହାନ୍ତି । ଋତୁରାଜଙ୍କ ସଡାହକ୍‌ ଏଥେ ରଖ୍‌ ଗୀତରେ ନାଚି ଉଠିଥିଲା ସମଗ୍ର ଷ୍ଟାଡିୟମ୍‌ । ପରେ ଧଡ଼କ ଧଡ଼କ ଗୀତରେ ଦର୍ଶକଙ୍କ ହୃଦୟ ଧଡକି ଉଠିଥିଲା । ଶେଷକୁ ବନ୍ଦେ ମାତରମ୍‌ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ଏହା ପରେ ମଞ୍ଚକୁ ଏଣ୍ଟ୍ରି ମାରିଥିଲେ ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା । ଫିଲ୍‌ ମାଇଁ ଲଭ୍‌ ଗୀତରେ ଦର୍ଶକଙ୍କୁ ହକି ପ୍ରେମରେ ପକାଇ ଦେଇଥିଲେ । ଏଥିସହ ବହୁ ଓଡ଼ିଆ ଆଲବମ୍‌ ଗୀତରେ ନଚାଇଥିଲେ ଦର୍ଶକଙ୍କୁ । ଶେଷରେ ମଞ୍ଚକୁ ଆସିଥିଲେ ଲିସା ମିଶ୍ର । ତାଙ୍କ ପପୁଲାର ଗୀତରେ ସେ ଦର୍ଶକଙ୍କୁ ଝୁମାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶବିଦେଶର ଅତିଥି ଯୋଗଦେଇଥିଲେ । ଓଲିଉଡ୍‌ ଓ ବଲିଉଡର ବହୁ ନାମୀଦାମୀ କଳାକାରମାନେ ଏଥିରେ ସାମିଲ୍‌ ହୋଇ ସେମାନଙ୍କର ଜଲୱା ଦେଖାଇଥିଲେ । ତେବେ ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ବଲିଉଡ୍‌ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ ଆକର୍ଷଣ ସାଜିଥିଲେ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକରେ ଦର୍ଶକ ଝୁମିଥିଲେ । ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ତିନିସପ୍ତାହ ଧରି ଚାଲିବାକୁ ଥିବାବେଳେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ମୁକାବିଲା ।

Leave A Reply

Your email address will not be published.