ବଜେଟ୍ ଅଧିବେଶନ: ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାନ୍ତୁ

0 82

ଭୁବନେଶ୍ୱର, ୨୮ା୧(ଡିକେ ନ୍ୟୁଜ): ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ପ୍ରଭାବୀ ଢଙ୍ଗରେ ଉଠାଇବେ ବିଜେଡି ସାଂସଦ । ବିଜେଡି ସଂସଦୀୟ ଦଳ ବୈଠକରେ ଆଜି ବିଜେଡିର ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦର ଉଭୟ ଗୃହରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜୋରଦାର ଭାବେ ଉପସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସମୟରେ ବିଜେପି ନେତାମାନେ କରୁଥିବା ଅପପ୍ରଚାରକୁ କିପରି ରୋକାଯିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ବିଜେପିର ଅପପ୍ରଚାର ଯୋଗୁଁ ରାଜ୍ୟବାସୀଙ୍କ ସ୍ୱାର୍ଥ ହାସଲ ହୋଇପାରୁନି ଓ ଗରିବଗୁରୁବା ଲୋକ ପ୍ରଭାବିତ ହେଉଛନ୍ତି । ବଳକା ଉଷୁନା ଚାଉଳ ପ୍ରସଙ୍ଗଠାରୁ ଆରମ୍ଭ କରି ମହିଳା ସଂରକ୍ଷଣ ବିଲ୍‌କୁ ପାସ କରିବା ପାଇଁ ଦିଲ୍ଲୀରେ ସ୍ୱର ସଶକ୍ତ କରିବେ ବିଜେଡି ସାଂସଦ । ୫କେଜି ଚାଉଳ କାଟିବା କେବଳ ଗରିବ ଲୋକଙ୍କ ଉପରେ ପ୍ରଭାବ ପକାଉନାହିଁ ବରଂ ଏହାଦ୍ୱାରା ଚାଷୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଆୟୁଷ୍ମାନ ଯୋଜନାରେ ଯେତିକି ଖର୍ଚ୍ଚ ହେଉନାହିଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ତା’ଠାରୁ ଅଧିକ ଖର୍ଚ୍ଚ ହେଉଛି କେବଳ ଗଞ୍ଜାମ ଜିଲ୍ଲାରେ । ଆୟୁଷ୍ମାନକୁ ନେଇ ଅପପ୍ରଚାର କରାଯାଉଛି । ତାହା ସଂସଦୀୟ ଅଧିବେଶନ ବେଳେ ବିଜେଡି ଉଠାଇବ ବୋଲି ରଣନୀତି ପ୍ରସ୍ତୁତ କରିଛି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ନବୀନ କରୁଥିବା ଦାବିକୁ ଆହୁରି ଜୋରଦାର କରାଯିବ । ସେହିଭଳି ୧୬୯ ଜନଜାତିଙ୍କୁ ତାଲିକାଭୁକ୍ତ କରିବାକୁ ଦାବି ଜୋରଦାର କରାଯିବ । ରେଳବାଇରେ ଓଡ଼ିଶାକୁ ନ୍ୟାୟ ମିଳୁନଥିବାରୁ ସଂସଦର ଉଭୟ ଗୃହରେ ବିଜେଡି ସାଂସଦମାନେ ଏହାର ପ୍ରତିବାଦ କରିବେ । ଆବାସ ଯୋଜନାରେ ଅନ୍ୟାୟ ଭାବେ ୪ଲକ୍ଷ ହିତାଧିକାରୀ ନାମ ତାଲିକାକୁ କେନ୍ଦ୍ର କାଟି ଦେଇଛି । ଓଡିଶାର ଆହୁରି ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେବାର ଆବଶ୍ୟକତା ରହିଛି । ସଂସଦରେ ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ବିଜେଡି ସାଂସଦ । ରାଷ୍ଟ୍ରୀୟ ରାଜମାର୍ଗ ଓ ଟେଲିକମ ନେଟୱାର୍କ କ୍ଷେତ୍ରରେ ମଧ୍ୟ ଅବହେଳିତ ହେଉଛି ଓଡ଼ିଶା । ଦୀର୍ଘବର୍ଷ ଧରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ହେଉଥିବା ଦାବିକୁ ଅଣଦେଖା କରୁଛି କେନ୍ଦ୍ର । ରାଜ୍ୟକୁ ମିଳୁନି ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ । ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଉନଥିବା ଭୂମିଜ ଭାଷାକୁ ସାମିଲ କରିବା ପାଇଁ ହେଉଥିବା ଦାବିକୁ ମଧ୍ୟ କର୍ଣ୍ଣପାତ କରୁନି କେନ୍ଦ୍ର । ଜାନୁଆରୀ ୩୧ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ସଂସଦରେ ବିଜେଡିର ଆଭିମୁଖ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିବ ।

Leave A Reply

Your email address will not be published.