ନବ ଦାସଙ୍କୁ କୋହଭରା ଅନ୍ତିମ ବିଦାୟ

0 88

ଝାରସୁଗୁଡା, ୩୦ା୧(ଡିକେ ନ୍ୟୁଜ): ନବ ଦାସ ଅମର ରହେ, ଅମର ରହେ । ଏହି ନାରାରେ କମ୍ପିଥିଲା ଝାରସୁଗୁଡ଼ା । ସମର୍ଥକଙ୍କ ଲୁହରେ ଭିଜିଥିଲା ଖେରୁଆଳ ପଡ଼ିଆ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯିବା ସମୟରେ ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଖେରୁଆଳ ଅଞ୍ଚଳ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକଙ୍କ ସମେତ ସମସ୍ତ ଦଳର ନେତା ଓ ପ୍ରିୟଜନ ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ଶୋକାକୁଳ ପରିସ୍ଥିତିରେ ନିଜର ପ୍ରିୟ ନେତାଙ୍କୁ ବିଦାୟ ଦେଇଛନ୍ତି । ହିନ୍ଦୁ ନୀତି ନିୟମ ଅନୁସାରେ କାର୍ଯ୍ୟ କରାଯିବା ପରେ ନବ ଦାସଙ୍କ ପୁଅ ବିଶାଲ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ଛଳଛଳ ଆଖିରେ ନିଜ ନେତାଙ୍କୁ ବିଦାୟ ଦେଇଥିଲେ ଜନତା । ଚାରିଆଡେ ଖାଲି ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା । ନିଜ ଜନ୍ମମାଟିର ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର ବେଳେ ନବ ଦାସଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକ । ଏହି ଅବସରରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏଥି ସହିତ ବିଜେଡିର ବହୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଶେଷ ଯାତ୍ରାରେ ସାମିଲ ହୋଇଥିଲେ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଥିଲା । ଭୁବନେଶ୍ୱର ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଆଣିବା ପରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ଦେବାଶିଷ ନାୟକ । ନବ ଦାସଙ୍କୁ ଗୋଟିଏ ଗୁଳି ବାଜିଥିଲା । ବାମପଟ ଛାତିରେ ଗୁଳି ଫୁଟି ପିଠିପଟେ ବାହାରି ଯାଇଥିଲା । ଫଳରେ ହାର୍ଟ ଓ ବାମପଟ ଫୁସଫୁସରେ କ୍ଷତ ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଅସ୍ତ୍ରୋପଚାର କରି ଡାକ୍ତର ଦେବାଶିଷ ସେହି କ୍ଷତକୁ ବନ୍ଦ କରିଦେଇଥିଲେ । ଡାକ୍ତରୀ ଦଳର ସବୁ ଉଦ୍ୟମ ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହାର୍ଟ କାମ କରିନଥିବା ଆପୋଲୋ ପକ୍ଷରୁ ସୂଚନା ଦିଆଯାଇଥିଲା । ଉଲ୍ଲେଖଥାଉ କି ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଦିନ ଦ୍ୱିପହରେ (୧୨ଟା ୨୦ମିନିଟ୍‌) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ରଜରାଜନଗରରେ ଏକ କାର୍ଯକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ । ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ନବ ଦାସଙ୍କ ମୃତଦେହକୁ ଭୁବନେଶ୍ୱର କ୍ୱାର୍ଟରକୁ ଅଣାଯାଇଥିଲା । ଏଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ପରେ ଆଜି ତାଙ୍କ ମୃତଦେହକୁ ଝାରସୁଗୁଡାସ୍ଥିତ ବାସଭବନକୁ ଅଣାଯାଇଥିଲା । ଶୋଭାଯାତ୍ରାରେ ଝାରସୁଗୁଡ଼ାର ମନମୋହନ ଏମ୍‌ଇ ସ୍କୁଲ ପଡ଼ିଆକୁ ନିଆଯାଇଥିଲା । ସେଠାରେ ନବ ଦାସଙ୍କ ଶେଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହାପରେ ଖେରୁଆଲରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.